ରାଷ୍ଟ୍ରପତି ନିର୍ବାଚନ : ମତ ପରିବର୍ତନ କଲେ କଂଗ୍ରେସ ବିଧାୟକ ସୁର ରାଉତ

ଏନଡିଏ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଶାର ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ମତଦାନ ପ୍ରସଙ୍ଗରେ ମତ ପରିବର୍ତନ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ I ଏ ସମ୍ପର୍କ ରେ ସେ ନିଜର ପ୍ରତିକ୍ରିୟା ରେ କହିଛନ୍ତି ସୋନିଆଙ୍କୁ ଆଉ ଚିଠି ଲେଖିବି ନାହିଁ । ସୁର କହିଛନ୍ତି, ମୋତେ ଦଳର ଉପରୁ ତଳଯାଏ ଚାପ ପଡିଲାଣି । ଦଳର ନିଷ୍ପତ୍ତିକୁ ସମ୍ମାନ ଜଣାଇବାକୁ ହେବ, ଏହାକୁ ଖାତିର କରିବାକୁ ପଡିବ । ତେଣୁ ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ଆଉ ସୋନିଆଙ୍କୁ ଚିଠି ଲେଖିବି ନାହିଁ । ଦଳର ହ୍ୱିପ ମାନି ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବି । ତାଙ୍କ ପାଇଁ କ୍ରସ ଭୋଟିଂ ହୋଇପାରେ ବୋଲି ସୁରେଶ ରାଉତରାୟ କହିଛନ୍ତି । ଏହା ସହ ସେ କହିଛନ୍ତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ସୁନିଶ୍ଚିତ । ଜଣେ ଓଡ଼ିଆ ହିସାବରେ ମୁଁ ବହୁତ ଖୁସି । କିନ୍ତୁ ହାଇକମାଣ୍ଡ ଯାହା ନିର୍ଦ୍ଦେଶ ଦେବେ ଆମେ ତାକୁ ପାଳନ କରିବୁ ବୋଲି କହିଥିଲେ ।
ସୂଚନାନୁସାରେ ଗତକାଲି ସେ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବେ ବୋଲି କହିଥିଲେ। ସେତିକି ନୁହେଁ, ଦ୍ରୌପଦୀଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ କରିବା ପାଇଁ ସୋନିଆ ଗାନ୍ଧୀଙ୍କ ପାଖରେ ପ୍ରସ୍ତାବ ରଖିବେ ବୋଲି ମଧ୍ୟ କହିଥିଲେ। ଯାହାକୁ ନେଇ ଗତକାଲି ରାଜ୍ୟ କଂଗ୍ରେସରେ ଦୁଇଫାଳ ହୋଇଯାଇଥିଲା। କାରଣ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କଠୁ ଆରମ୍ଭ କରି ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟ କଂଗ୍ରେସ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ନାହିଁ। କଂଗ୍ରେସ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବ ବୋଲି କହିଥିଲେ। ହେଲେ ଗତକାଲି ସୁରଙ୍କ ବୟାନ ପରେ ଦ୍ବନ୍ଦ ଦେଖାଦେଇଥିଲା। ତେବେ ଗତକାଲିର ବୟାନ ପରେ ଆଜି ନିଜ ନିଷ୍ପତ୍ତି ବଦଳାଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।