ଦୁଇଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଅଭିଭାଷଣ ରଖିବେ ବିଧାନସଭାରେ

ଭୁବନେଶ୍ବର: ଦୁଇଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଆସନ୍ତା 27 ଓ 28 ତାରିଖରେ ଦୁଇଦିନ ପାଇଁ ଓଡିଶା ଆସିବେ ବୋଲି ଜଣାପଡିଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ଏକ ଐତିହାସିକ ଗସ୍ତ ହେବ ବୋଲି ଜଣାପଡିଛି। କାରଣ ସେ ପ୍ରଥମ ଥର ପାଇଁ ଓଡିଶା ବିଧାନସଭାରେ ନିଜର ଅଭିଭାଷଣ ରଖିବେ। ପୂର୍ବରୁ ଓଡିଶା ବିଧାନସଭାରେ କେବେ କୌଣସି ରାଷ୍ଟ୍ରପତି ଅଭିଭାଷଣ ରଖିନାହାଁନ୍ତି। ରାଷ୍ଟ୍ରପତି 27 ତାରିଖରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ଅପରାହ୍ନ 2 ଟାରେ ପହଞ୍ଚିବେ। ବିମାନ ବନ୍ଦରରୁ ସେ ସିଧା ରାଜଭବନ ଯିବେ। ସେଠାରେ ସେ ନୂଆ କଳିଙ୍ଗ ନିବାସକୁ ଉଦଘାଟନ କରିବେ। ଏହାପରେ ସେ ଅପରାହ୍ନ 4 ଟା 20 ରେ ବିଧାନସଭାରେ ପହଞ୍ଚିବେ। ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ। ଏହାପରେ ସେ 4 ଟା 30 ରୁ 5 ଟା 30 ପର୍ଯ୍ୟନ୍ତ ନିଜର ଅଭିଭାଷଣ ରଖିବେ। ଏହାପରେ ରାଜଭବନରେ ରାଜ୍ୟପାଳ ଏକ ରାତ୍ରୀଭୋଜନର ଆୟୋଜନ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିରୋଧୀ ଦଳର ନେତା, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ, ବିଧାୟକ, ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଏହାପରଦିନ ରାଷ୍ଟ୍ରପତି 9 ଟା 15 ମିନଟରେ ରାଜଭବନରୁ ବିମାନ ବନ୍ଦର ଯିବେ। ସେଠାରୁ ସେ ଲକ୍ଷ୍ନୌ ଯିବାର କାର୍ଯ୍ୟକ୍ରମ ରହିଛି।

President Draupadi Murmu to arrive on two-day visit to Odisha