ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବାପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଛନ୍ତି। ରାଷ୍ଟ୍ରପତିଙ୍କ ବ୍ୟାରିକେଡ ବିମାନବନ୍ଦରରୁ ସିଧାସଳଖ ରାଜଭବନ ଅଭିମୁଖେ ଆସିଛି। ଏୟାରପୋର୍ଟରୁ ବାହାରିବାବେଳେ ଗାଡ଼ିରୁ ଓହ୍ଲାଇଥିଲେ ରାଷ୍ଟ୍ରପତି। ଗାଡ଼ିରୁ ଓହ୍ଲାଇବା ପରେ ଚାଲି ଚାଲି ଲୋକଙ୍କ ପାଖକୁ ଯାଇଥିଲେ। ବିମାନମନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ଆସିଥିବା ଲୋକଙ୍କ ପାଖକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯାଇଥିଲେ।

ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ଆଦିବାସୀ ନୃତ୍ୟ ପରିବେଷିତ ହେଉଥିଲା। ଆଦିବାସୀ ସାଂସ୍କୃତିକ ନୃତ୍ୟ ଦଳ ପାଖକୁ ଚାଲି ଚାଲି ଯାଇଥିଲେ। ଆଜି ରାଜଭବନରେ ରାଷ୍ଟ୍ରପତି ରାତ୍ରି ଯାପନ କରିବା କାର୍ଯ୍ୟକ୍ରମ ରହିଛି।ରାଷ୍ଟ୍ରପତି ସ୍ବତନ୍ତ୍ର କାର୍‌କେଡ୍‌ରେ ବିମାନବନ୍ଦରରୁ ସିଧା ରାଜଭବନକୁ  ଯାଇଛନ୍ତି।  ରାଜଭବନ ପରିସରରେ ସନ୍ଧ୍ୟା ୭ଟାରେ ଅତୁଟ ବନ୍ଧନ ପରିବାର ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାପରେ ରାଜଭବନ ପରିସରରେ ନିର୍ମାଣ ହେବାକୁ ଥିବା ନୂଆ କୋଠାର ଶିଳାନ୍ୟାସ ମଧ୍ୟ କରିବେ।

ଆସନ୍ତାକାଲି କଟକରେ ମା’ ଚଣ୍ଡୀଙ୍କ ଦର୍ଶନ ସହ ହାଇକୋର୍ଟ ୭୫ ତମ ପୂର୍ତି ଉତ୍ସବରେ ଉଦ୍ବୋଧନ ଦେବେ । ସେହିପରି ଗୁରୁବାର ଭୁବନେଶ୍ୱର ତମାଣ୍ଡୋରେ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । କମିସନରେଟ ପୋଲିସ ପକ୍ଷରୁ କାରକେଡ ରିହର୍ସସାଲ କରାଯାଇଛି । ବ୍ଲୁ-ବୁକ୍ ଆଧାରରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ରୁଟ୍ ଲାଇନ୍, କାରକେଡ, ଟ୍ରାଫିକ୍, ପାର୍କିଂ ବ୍ୟବସ୍ଥା ହୋଇଛି ।

ODISHA