ଭୁବନେଶ୍ୱରରେ ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋମବାର ଅପରାହ୍ନରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେଠାରେ ତାଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମପାଟୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବେନଶ୍ବର ମେୟର ସୁଲୋଚନା ଦାସ ସ୍ବାଗତ କରିଛନ୍ତି। ଏହା ପରେ ରାଷ୍ଟ୍ରପତି ଏମ୍ସ ସମାବର୍ତ୍ତନ ସମାରୋହରେ ଯୋଗଦେବା ପାଇଁ ବାହାରିଯାଇଛନ୍ତି। ଦୁଇ ଦିନିଆ ଗସ୍ତରେ ରାଷ୍ଟ୍ରପତି ଭୁବନେଶ୍ୱର ସମେତ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।

ଆସନ୍ତାକାଲି ଅର୍ଥାତ ଜୁଲାଇ ୧୫ ତାରିଖରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଏହାପରେ ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟ ଉନ୍ନତୀକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ କଟକ ତୁଳସୀପୁର ବିଜୁ ପଟ୍ଟନାୟକ ଛକ ସ୍ଥିତ ଶାରଳା ଭବନରେ ଆଦିକବି ଶାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ରାଷ୍ଟ୍ରପତି । ଆଦିକବି ଶାରଳା ଦାସଙ୍କ ୬୦୦ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।