ବ୍ରହ୍ମଗିରିରେ ପ୍ରାକ ନିର୍ବାଚନୀ ହିଂସା

ସବୁଠି ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର। ଏହାରି ଭିତରେ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ ଘଟିଛି। ଗୋଟିଏ ରାଜନୈତିକ ଦଳ ର ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ସଂଘର୍ଷ ହୋଇ ଜଣେ ମହିଳା ସମେତ ୬ ଗୁରୁତର ହୋଇଛନ୍ତି।
ବ୍ରହ୍ମଗିରି ବ୍ଲକ ମଣପଡା ପଞ୍ଚାୟତ ଦଣ୍ଡୁଆସିପଡା ଗାଁରେ ଘଟିଛି ଏହି ସଂଘର୍ଷ। ସମସ୍ତ ଗୁରୁତର ଗୋଟିଏ ଦଳର ବୋଲି ସୂଚନା ମିଳିଛି। ସମସ୍ତଙ୍କୁ ଚିକିସ୍ଥା ପାଇଁ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବୁଧବାର ରାତିରେ କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତାମାନେ ଉକ୍ତ ଗାଁରେ ପ୍ରଚାର କରୁଥିଲେ। ଏହି ସମୟରେ ଜଣେ ମହିଳା ଯାହାଙ୍କର ଦୁଇବର୍ଷ ତଳେ ଘର ପୋଡ଼ି ହୋଇଯାଇଥିଲା, ତାଙ୍କୁ ସଂପୃକ୍ତ ଦଳର ନେତା ଘର ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମହିଳା ଜଣଙ୍କୁ ଘର ମିଳିନଥିଲା। ଯାହାକୁ ନେଇ ସେ ଗତକାଲି ପ୍ରଚାର ସମୟରେ ସଂପୃକ୍ତ ଦଳର ନେତାଙ୍କୁ ପଚାରିଥିଲେ। ଆଉ ପରବର୍ତ୍ତୀ ସମୟରେ ଏହାକୁ ନେଇ ଦୁଇ ରାଜନୈତିକ ଦଳ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା।
ହେଲେ ଆଜି ସକାଳୁ ସେହି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଗୋଷ୍ଠୀ ମହିଳାଙ୍କ ଘର ଆଗରେ ଗାଳିଗୁଲଜ କରିବାରୁ ଗଣ୍ଡଗୋଳ ର ସୂତ୍ରପାତ ହୋଇଥିଲା I ଏହାପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ଉଭୟ ପକ୍ଷ ପରସ୍ପରକୁ ମାରପିଟ୍ ଓ ଟେକା ପଥର ମାଡ଼ କରିଥିଲେ। ଯେଉଁଥିରେ ଜଣେ ମହିଳାଙ୍କ ସମେତ ୬ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ରେବଣା ନୂଆ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ଗୁରୁତରଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହାସହ ଉକ୍ତ ଗାଁ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁଲିସ୍ ମୁତୟନ ରହିଛନ୍ତି।

Comments (0)
Add Comment