ଗିରଫ ହେଲେ କୁବେର ଅଧିକାରୀ ପ୍ରଶାନ୍ତ ରାଉତ, ରଖିଥିଲେ ଆୟଠାରୁ ୫୦୬% ସମ୍ପତ୍ତି 

ଭୁବନେଶ୍ୱର: ଗିରଫ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ  ।  ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଆଜି  ଗିରଫ କରିଛି ଭିଜିଲାନ୍ସ  । ଗତକାଲି  ପ୍ରଶାନ୍ତଙ୍କ ଘର, କାର୍ଯ୍ୟାଳୟ ସମେତ ୯ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଘରୁ  ନଗଦ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ ହେବା ପରେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଭିଜିଲାନ୍ସ ପକ୍ଷରୁ ତାଙ୍କ ଅମାପ ସଂପତ୍ତିର ହିସାବ କରୁଛି ଭିଜିଲାନ୍ସ । ସୁନ୍ଦରଗଡ ଭିଜିଲାନ୍ସ ଡିଏସପି କାର୍ଯ୍ୟାଳୟରେ ପ୍ରଶାନ୍ତଙ୍କ ଘରୁ ଜବତ ଟଙ୍କା, କାଗଜପତ୍ର, ସ୍ଥାବର ଓ ଅସ୍ଥାବର ସଂପତ୍ତିର ଚୂଡାନ୍ତ ତାଲିକା ପ୍ରସ୍ତୁତ କରାଯାଉଛି । ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ, ଅତିରିକ୍ତ ଉପ ଜିଲ୍ଲାପାଳଙ୍କ ଘରୁ ଜବତ ହୋଇଛି ୫ କୋଟି ୨୧ ଲକ୍ଷ ୯ ହଜାର ୫୯ ଟଙ୍କା ।  ଶ୍ରୀ ରାଉତଙ୍କର ଏହି ସମ୍ପତ୍ତି ତାଙ୍କ ଆୟଠାରୁ ୫୦୬ ପ୍ରତିଶତ ଅଧିକ ବୋଲି ଦର୍ଶାଇଛି ଭିଜିଲାନ୍ସ ।

ସୂଚନାଥାଉ କି, ଶୁକ୍ରବାର ଚଢାଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ପ୍ରାୟ ୩ କୋଟି ଟଙ୍କା ଜବତ କରିଛନ୍ତି । ତାଙ୍କର   କଟକ ଓ ଭୁବନେଶ୍ୱରରେ ଥିବା ୪ଟି ଏବଂ ନବରଙ୍ଗପୁର ଉମରକୋଟରେ ଥିବା ଗୋଟିଏ ବେନାମୀ ପ୍ଲଟ୍ ଠାବ କରିଛନ୍ତି। ୪୧ ଲକ୍ଷ ଟଙ୍କାରୁ ଅଧିକ ବ୍ୟାଙ୍କ ଓ ବୀମା ଜମା, ଦୁଇଟି ଚାରିଚକିଆ ଯାନ ଏବଂ ଗୋଟିଏ ଦୁଇଚକିଆ ଯାନ ଯାହାର ୩୭ ଲକ୍ଷ ଟଙ୍କା ହେବ ତାକୁ ମଦ୍ୟ ଜବତ କରିଛି ଭିଜିଲାନ୍ସ । ଏହାବ୍ୟତୀତ ସୁନା ଓ ରୂପା ଅଳଙ୍କାରର ସହ ଘରକରଣା ସାମଗ୍ରୀକୁ ମିଶାଇଲେ ୨୧ ଲକ୍ଷ ୩୫ ହଜାର ଟଙ୍କାରୁ ଅଧିକ ମୂଲ୍ୟ ରହିଛି ପ୍ରଶାନ୍ତ ରାଉତଙ୍କ ଘରେ । ସେତିକି ନୁହେଁ, ପ୍ରଶାନ୍ତ ରାଉତ ତାଙ୍କ ଝିଅର ଡାକ୍ତରୀ ପାଠପଢା ଏବଂ ତାଙ୍କ ପୁଅର ଶିକ୍ଷା ଖର୍ଚ୍ଚ ପାଇଁ ପ୍ରାୟ ୮୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।

ଏହା ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ ଅନେକ ଦୁର୍ନୀତି ଅଭିଯୋଗ ଆସିଥିଲା ।  ପୂର୍ବରୁ ୨୦୧୮ ନଭେମ୍ବର ୬ ତାରିଖରେ ବିଶ୍ରା ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରୁଥିବା ବେଳେ ୧ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଗିରଫ ହୋଇଥିଲେ। ନିଲମ୍ବନ ପରେ ୨୦୨୦ ଜାନୁଆରି ୧୮ରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ତାଙ୍କୁ ପୁନଃ ଅବସ୍ଥାପିତ କରାଯାଇଥିଲା। ସେହିପରି    ୨୦୧୨ ମସିହାରେ ଦାନଗଦି ବ୍ଲକରେ ବିଡ଼ିଓ ଥିବା ସମୟରେ ୫୮୪ କୁଇଣ୍ଟାଲ ପିଡ଼ିଏସ ଚାଉଳ ହଡପ କରିଥିବା ନେଇ ଭିଜିଲାନ୍ସ ଚାର୍ଜସିଟ ମଧ୍ୟ ଫାଇଲ କରିଛି।