ଭୁବନେଶ୍ୱର: ଓଡ଼ିଶା ଲୋକସେବା ଭବନରେ ବଡ଼ ବାବୁଙ୍କ ପଦବୀ ଖାଲି ପଡିଛି। ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି। ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସଚିବାଳୟର ବିଭିନ୍ନ ବର୍ଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଛି । ସବୁଠାରୁ ଅଧିକ ୩୬୫ଟି ଉପବିଭାଗ ଅଧିକାରୀ (Section Officer) ଏବଂ ୩୪୮ଟି ସହକାରୀ ଉପବିଭାଗ ଅଧିକାରୀ (ASO) ପଦବୀ ଶୂନ୍ୟ ରହିଛି। ଏହା ବ୍ୟତୀତ ୧୦୫ ଜଣ ଅନୁଶାସନ ସଚିବ, ଜଣେ ଅତିରିକ୍ତ ଶାସନ ସଚିବ, ୨ ଜଣ ଯୁଗ୍ମ ଶାସନ ସଚିବ, ୨ ଜଣ ଉପ ଶାସନ ସଚିବ ଏବଂ ୪ ଜଣ ଡେସ୍କ ଅଫିସରଙ୍କ ପଦବୀ ମଧ୍ୟ ପୂରଣ ହୋଇନାହିଁ। ଉକ୍ତ ପଦବୀଗୁଡ଼ିକ ପୂରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏତେ ସଂଖ୍ୟକ ପଦବୀ ଖାଲି ରହିବା ଫଳରେ ସରକାରୀ କାର୍ଯ୍ୟାଳୟର ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ବାଧା ସୃଷ୍ଟି ହେବା ସହ କାର୍ଯ୍ୟରତ ଅଧିକାରୀଙ୍କ ଉପରେ ଚାପ ବଢୁଛି। ପ୍ରଶାସନିକ ସ୍ୱଚ୍ଛତା ଓ ସରକାରୀ ଯୋଜନାର ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ଏହି ଶୂନ୍ୟସ୍ଥାନଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବା ଏବେ ନୂତନ ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି । ଯଦି ଏହି ପଦବୀଗୁଡ଼ିକ ଶୀଘ୍ର ପୂରଣ ନହୁଏ, ତେବେ ସଚିବାଳୟର ଗତିଶୀଳତା ପ୍ରଭାବିତ ହେବାର ସମ୍ଭାବନା ରହିଛି ।