ନିର୍ବାଚନ ପରବର୍ତ୍ତୀ ହିଂସା :ବିଜୟୀ ପ୍ରାର୍ଥୀଙ୍କ ଆକ୍ଷେପ ରେ ଅତିଷ୍ଠ ହୋଇ ପରାଜିତ ପ୍ରାର୍ଥୀ ଙ୍କ ଆତ୍ମହତ୍ୟା,ସ୍ତ୍ରୀ ଗୁରୁତର

ରାଜନୀତି କାହା ପାଇଁ ପୌଷ ମାସ ତ କାହା ପାଇଁ ସର୍ବନାଶ I ଏହିପରି ଏକ ଦୁଖଦଃ ଘଟଣା ଘଟିଯାଇଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପଦ୍ମପୁର ଗାଁ ରେ I ପଞ୍ଚାୟତ ନିର୍ବାଚନରେ ହାରିବା ପରେ ମନ ଦୁଃଖରେ ଥିବାବେଳେ ବିଜୟୀ ପ୍ରାର୍ଥୀଙ୍କ ଆକ୍ଷେପ ରେ ଅତିଷ୍ଠ ହୋଇ ପଡ଼ିଥିଲେ ପରାଜିତ ପ୍ରାର୍ଥୀନୀ ଙ୍କ ସ୍ୱାମୀ I ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟା ହୋଇଥିବା ପ୍ରାର୍ଥୀନି ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ସ୍ୱାମୀ କିନ୍ତୁ ଆଉ ନାହାନ୍ତି ।

ସୂଚାନୁସାରେ ଚଳିତ ପଞ୍ଚାୟତ ନିର୍ବାଚନରେ ବାସୁଦେବପୁର ବ୍ଲକ୍‌ ପଦ୍ମପୁର ପଞ୍ଚାୟତର ସମିତି ସଭ୍ୟ ଭାବେ ରମାକାନ୍ତ ପରିଡ଼ାଙ୍କ ସ୍ତ୍ରୀ ସୁମତୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। କିନ୍ତୁ ସେ ନିର୍ବାଚନରେ ହାରି ଯାଇଥିଲେ। ଯାହାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମନସ୍ତାପ ରେ ଥିଲେ। କିନ୍ତୁ ଅଭିଯୋଗ ଅନୁଯାୟୀ ୧୩ ତାରିଖ ଦିନ ବିଜୟୀ ହୋଇଥିବା ପ୍ରାର୍ଥୀ ତାଙ୍କ ବିଜୟ ଶୋଭଯାତ୍ରା କରିଥିଲେ । ଶୋଭଯାତ୍ରା ବେଳେ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକ ସୁମତିଙ୍କ ସ୍ୱାମୀ ରମାକାନ୍ତ ଙ୍କୁ ଆକ୍ଷେପ କରି ପରିହାସ ମୂଳକ ମନ୍ତବ୍ୟ ଦେଇଥିଲେ I ଏହି କଥାକୁ ନେଇ ରମାକାନ୍ତ ଏବଂ ବିଜୟୀ ପ୍ରାର୍ଥୀଙ୍କ ସହକର୍ମୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ରମାକାନ୍ତ ଘରକୁ ଫେରିଥିଲେ ଓ ବାପାଙ୍କୁ ମଧ୍ୟ ଘଟଣା ବିଷୟରେ କହିଥିଲେ । ପରେ ଉପର ରୁମକୁ ଯାଇଥିଲେ । କିଛି ସମୟ ପରେ ଘର ଭିତରେ ରମାକାନ୍ତଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ରମାକାନ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ପରେ ସ୍ୱାମୀଙ୍କର ଏହି ଅବସ୍ଥା ଦେଖି ସୁମତି ବାଡ଼ି ପଟେ ବିଷ ପିଇଦେଇଥିଲେ । ପରେ ସୁମତିଙ୍କୁ ମଧ୍ୟ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ସ୍ୱାମୀ ରମାକାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଗୋଟେ ପଟେ ପୁଅର ମୃତ୍ୟୁ ଓ ବୋହୁଙ୍କର ସଙ୍କଟାପନ୍ନ ଅବସ୍ଥା ବିଷୟରେ ଶୁଣି ପୁରା ପରିବାର ଭାଙ୍ଗି ପଡିଛନ୍ତି । ଏ ଘଟଣାକୁ ନେଇ ବାସୁଦେବପୁର ଥାନାରେ ଲିଖିତ ଏତଲା ଦିଆଯାଇଛି ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଓ ଗ୍ରାମବାସୀ । କିନ୍ତୁ ଘଟଣାକୁ ନେଇ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।