ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତାହାର ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ଅଗଷ୍ଟ ୨୯ ତାରିଖ ବେଳକୁ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଉତ୍ତର ଓ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଅନ୍ୟପଟେ ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ, ଚଳିତ ମୌସୁମୀ ଋତୁରେ (ଜୁନ୍ ୧ ରୁ ଅଗଷ୍ଟ ୨୬) ରାଜ୍ୟରେ ସ୍ୱାଭାବିକଠାରୁ ୨୮ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। ବରଗଡ଼, ବୌଦ୍ଧ, ସୋନପୁର ଓ ବାଲେଶ୍ୱର ଏହି ଚାରି ଜିଲ୍ଲାରେ ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ଅଛି।