ହରିୟାଣାରେ ରାଜନୈତିକ ଅସ୍ଥିରତା; ଭାଙ୍ଗିପାରେ ବିଜେପି-ଜେଜେପି ମେଣ୍ଟ

ଚଣ୍ଡିଗଡ: ଆଗାମୀ ନିର୍ବାଚନକୁ ଦେଇ ଦେଶରେ ଚାଲିଛି ଗରମାଗରମ ମାହୋଲ l ଏବଂ ଏହା ସହ ରାଜନୈତିକ ଦଳ ମଧ୍ୟରେ ଜାରି ରହିଛି ଜୋରାସୋର ପ୍ରସ୍ତୁତି l ଦଳବଦଳ ପ୍ରକ୍ରିୟାକୁ ନେଇ ଚର୍ଚ୍ଚା ବି ହେଉଛି । ଏଥିମଧ୍ୟରେ ଆଜି ଚଣ୍ଡିଗଡ଼ ସ୍ଥିତ ହରିୟାଣା ନିବାସରେ ଆଉ କିଛି ସମୟ ପରେ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ।

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଅଧ୍ୟକ୍ଷତାରେ ବିଜେପିର ସମସ୍ତ ବିଧାୟକ ଏବଂ ମନ୍ତ୍ରୀ ଏହି ବୈଠକରେ ଯୋଗ ଦେବେ । ଏହା ବ୍ୟତୀତ ବିଜେପି ସମର୍ଥିତ ସ୍ୱାଧୀନ ବିଧାୟକମାନେ ମଧ୍ୟ ଏହି ବୈଠକରେ ଯୋଗ ଦେବେ ।

୨୦୧୯ରେ ହରିୟାଣା ବିଧାନସଭା ନିର୍ବାଚନରେ ୯୦ଟି ଆସନରୁ ବିଜେପି ୪୦ଟି ଆସନରେ ବିଜୟ ହାସଲ କରିଥିଲା । ସେହିପରି କଂଗ୍ରେସ ୩୧ଟି ଆସନ ଏବଂ ଜନନାୟକ ଜନତା ପାର୍ଟି(ଜେଜେପି) ୧୦ଟି ଆସନରେ ବିଜୟ ଲାଭ କରିଥିଲେ । ଏହା ପରେ ବିଜେପି ଏବଂ ଜେଜେପି ମେଣ୍ଟ ସରକାର ଗଠନ କରିଥିଲେ । ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ଲୋକସଭା ନିର୍ବାଚନରେ ବିଜେପି ଏବଂ ଜେଜେପି ମେଣ୍ଟ ସରକାର ଦେଖିବାକୁ ମିଳିବ ନାହିଁ ।

ବିଜେପି ୧୦ଟି ଲୋକସଭା ଆସନ ପାଇଁ ଏକୁଟିଆ ନିର୍ବାଚନ ଲଢ଼ିବାକୁ ଚାହୁଁଛି । ନଭେମ୍ବର ୨୦୨୪ରେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ମନୋହର ଲାଲ ଖଟ୍ଟରଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହାକୁ ଦୃଷ୍ଟିରେ ରଖି ହରିୟାଣାର ବିଜେପି ଅଧ୍ୟକ୍ଷ ନାୟାବ ସୈନି ଏବଂ ବିଜେପି ସାଂସଦ ସଞ୍ଜୟ ଭାଟିଆ ମୁଖ୍ୟମନ୍ତ୍ରୀ ରେସରେ ସାମିଲ ଅଛନ୍ତି ।