ପୋଲିସ ଏସଆଇ ପରୀକ୍ଷା ସ୍କାମ୍; CBI ରାଡାରରେ ଜେଲ୍ ଡିଜି ସୁଶାନ୍ତ ନାଥ

ଭୁବନେଶ୍ୱର: ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ସ୍କାମ ମାମଲାରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତଦନ୍ତ କାରି ସଂସ୍ଥା CBI ସ୍କାନରରେ OPRB ଅଧକ୍ଷ ତଥା ବରିଷ୍ଠ ଆଇପିଏସ୍ ସୁଶାନ୍ତ ନାଥଙ୍କ ସନ୍ଦେହଜନକ ଭୂମିକା । ସିବିଆଇ ତଦନ୍ତରେ ମିଳିଥିବା ସୂଚନା ଅନୁସାରେ, ବରିଷ୍ଠ ଅଧିକାରୀ ସୁଶାନ୍ତ ନାଥଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ବିଧିବଦ୍ଧ ଚିଠି ଲେଖାଯାଇଛି, ଯାହା ଏବେ ସାମ୍ନାକୁ ଆସିଛି । ଯେତେବେଳେ ଏହି ଏସଆଇ ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ସ୍କାମ୍ ହୋଇଥିଲା, ସେତେବେଳେ ସୁଶାନ୍ତ ନାଥ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆରବି)ର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ । ତେଣୁ ତାଙ୍କ କାର୍ଯ୍ୟକାଳ ଭିତରେ କିପରି ଏତେ ବଡ଼ ଧରଣର ଜାଲିଆତି ହେଲା, ସେ ନେଇ ସିବିଆଇ ତାଙ୍କୁ ଜେରା କରିବାକୁ ପ୍ରସ୍ତୁତ ହେଉଛି । ଜଣେ ଆଇପିଏସ୍ ଅଧିକାରୀ ହୋଇଥିବାରୁ ନିୟମ ଅନୁଯାୟୀ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ମିଳିବା କ୍ଷଣି ସିବିଆଇ ତାଙ୍କୁ ସମନ କରି ପଚରାଉଚରା କରିବାର ଯଥେଷ୍ଟ ସମ୍ଭାବନା ରହିଛି । ପରୀକ୍ଷା ପରିଚାଳନାରେ ରହିଥିବା ତ୍ରୁଟି, ପ୍ରଶ୍ନପତ୍ର ଲିକ୍ ବା ମେରିଟ୍ ଲିଷ୍ଟରେ ହେରଫେର ପଛରେ ବୋର୍ଡର କୌଣସି ପ୍ରତ୍ୟକ୍ଷ ବା ପରୋକ୍ଷ ସମ୍ପୃକ୍ତି ଥିଲା କି ନାହିଁ, ତାହାର ଟିକନିଖି ଖୋଳତାଡ଼ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ । ବୋର୍ଡର ତତ୍କାଳୀନ ଅଧ୍ୟକ୍ଷ ହିସାବରେ ସୁଶାନ୍ତ ନାଥଙ୍କ ବୟାନ ଏହି ମାମଲାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଲୋଚନା ହେଉଛି । ସୂଚନା ଥାଉ ଯେ, ଏହି ଏସଆଇ ପରୀକ୍ଷା ସ୍କାମ୍‌ରେ ସମ୍ପୃକ୍ତ ଥିବା ୧୭ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଗତ ମେ’ ମାସରେ କୋର୍ଟ ଖାରଜ କରିଦେଇଥିଲେ । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ କେନ୍ଦ୍ର କରି ଏବେ ବଡ଼ବଡ଼ିଆ ଅଫିସରମାନେ ରାଡାରକୁ ଆସିଛନ୍ତି ।