ପୁଲିସ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଇରଫାନ ଆହତ

ଭୁବନେଶ୍ବର: ସମ୍ବଲପୁର ସଦର ଥାନା ଅନ୍ତର୍ଗତ କେନାଲ ରୋଡ୍, ସୁଡୁଙ୍ଗା ଜଙ୍ଗଲ ନିକଟରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇରଫାନ ଗୁରୁତର ଆହତ ହୋଇଛି। ଆଜି ଭୋର ପ୍ରାୟ ୫.୪୫ ମିନିଟ୍‌ରେ ଏହି ଗୁଳିକାଣ୍ଡ ଘଟିଥିବା ନେଇ ସୂଚନା ମିଳିଛି। ସୁନାପାଲି ଅଞ୍ଚଳର ଅଭିଯୁକ୍ତ ମହମ୍ମଦ ଇରଫାନ ନାମରେ ଡକାୟତି, ରାହାଜାନି, ଆଲୁମିନିୟମ ତାର ଚୋରି, ସାଧାରଣ ଚୋରି ଏବଂ ବେଆଇନ ନିଶା କାରବାର ଭଳି ୨୪ରୁ ଅଧିକ ସାଂଘାତିକ ଅପରାଧିକ ମାମଲା ରହିଥିବା ନେଇ ଅତିରିକ୍ତ ଏସପି ଶଶାଙ୍କ ଶେଖର ବେଉରା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟ କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୫ଟା ସମୟରେ ସମ୍ବଲପୁର ସଦର ଥାନାର ପୁଲିସ ଟିମ୍ ସୁଡୁଙ୍ଗା ଜଙ୍ଗଲ ନିକଟସ୍ଥ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଏକ କଳା ରଙ୍ଗର ମୋଟରସାଇକେଲ୍‌ରେ (ନଂ: OD15 AB 3674) ଯାଉଥିବା ମହମ୍ମଦ ଇରଫାନ ଏବଂ ତାଙ୍କର ୨ ଜଣ ସହଯୋଗୀଙ୍କୁ ପୁଲିସ ସନ୍ଦେହଜନକ ଅବସ୍ଥାରେ ଅଟକାଇବାକୁ ଚେଷ୍ଟା କରିଥିଲା। ଗାଡ଼ି ଅଟକାଇବା ମାତ୍ରେ ପୁଲିସ ତୁରନ୍ତ ଇରଫାନର ୨ ଜଣ ସହଯୋଗୀଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ମାତ୍ର ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇରଫାନ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲା। ଇରଫାନ ପଳାଉଥିବା ଦେଖି ପୁଲିସ ଟିମ୍ ତା’ର ପିଛା କରିଥିଲା, ଯାହା ପରେ ଏନ୍‌କାଉଣ୍ଟର ଘଟି ସେ ଗୁଳିବିଦ୍ଧ ହୋଇଥିଲା। ଘଟଣା ସମ୍ପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।