ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ମହୁଲଡିହା ଜଙ୍ଗଲ ଅଞ୍ଚଳରେ ପୁଲିସ ଏନକାଉଣ୍ଟରରେ ଜଣେ ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ଆହତ ହୋଇଛି। ଆହତ ଅପରାଧୀ ଜଣକ ହେଉଛି ଦୁର୍ଦ୍ଦାନ୍ତ ପ୍ରଭାତ ମଲ୍ଲିକ। ଜଙ୍ଗଲ ଅଞ୍ଚଳରେ ପୁଲିସର ଏକ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ଏହି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଏନକାଉଣ୍ଟରରେ ପ୍ରଭାତର ଡାହାଣ ଆଣ୍ଠୁରେ ଗୁଳି ବାଜିଥିବା ସୂଚନା ମିଳିଛି। ପୁଲିସ ସୂଚନା ଅନୁଯାୟୀ, ଗିରଫ ପ୍ରଭାତ ନାମରେ ବିଭିନ୍ନ ଥାନାରେ ଚାନ୍ଦା ଆଦାୟ, ଡକାୟତି ଏବଂ ହତ୍ୟା ଉଦ୍ୟମ ଭଳି ୪୦ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି। ଏହି ସଫଳ ଅପରେସନ୍ ପରେ ପୁଲିସ ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଏବଂ ନଗଦ ୧୨ ହଜାର ଟଙ୍କା ଜବତ କରିଛି। ଆହତ ଅପରାଧୀକୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।