ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳ ଗୁଡ଼ିକରେ ଏଣିକି ପାଇପ୍ ପ୍ରାକୃତିକ ଗ୍ୟାସ ବା PNG (Piped Natural Gas) ସଂଯୋଗ ବାଧ୍ୟତାମୂଳକ ହେବ। ଯେଉଁ ଗ୍ରାହକମାନେ PNG ସଂଯୋଗ ନେବେ, ସେମାନେ ଆଉ LPG ସିଲିଣ୍ଡର ବ୍ୟବହାର କରିପାରିବେ ନାହିଁ। ତୈଳ କମ୍ପାନୀଗୁଡ଼ିକ ସହ ଯୋଗାଣ ମନ୍ତ୍ରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ଆସନ୍ତା ୩ ମାସ ମଧ୍ୟରେ PNG ସଂଯୋଗ ପ୍ରକ୍ରିୟା ଶେଷ କରିବାକୁ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକସେବା ଭବନରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଯୋଗାଣ ମନ୍ତ୍ରୀଙ୍କ ସମେତ ନଗର ଉନ୍ନୟନ ମନ୍ତ୍ରୀ, ଯୋଗାଣ ସଚିବ ଏବଂ ତୈଳ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ସହରାଞ୍ଚଳରେ PNG କୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଗ୍ରାମାଞ୍ଚଳରେ ପୂର୍ବଭଳି LPG ସିଲିଣ୍ଡର ଯୋଗାଣ ଜାରି ରହିବ।