ଭୁବନେଶ୍ୱର: ରାସ୍ତାକଡ଼ ବ୍ୟବସାୟୀ ମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ପିଏମ୍ ସ୍ୱନିଧି ବା ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ଯୋଜନା ଅଧୀନରେ ମଞ୍ଜୁର ହେଉଥିବା ତିନିଟି ଋଣ ପର୍ଯ୍ୟାୟର ତିନିଟି ଋଣ ପର୍ଯ୍ୟାୟରେ ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ ଘୋଷଣା କରାଯାଇଛି । ହାଇପୋଥିକେସନ ଚୁକ୍ତିପତ୍ର ଉପରେ ଲାଗୁଥିବା ଷ୍ଟାମ୍ପ ଶୁଳ୍କକୁ ସରକାର ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ପିଏମ୍ ସ୍ୱନିଧି ଯୋଜନାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଋଣ କିସ୍ତି ସମ୍ବନ୍ଧୀୟ ହାଇପୋଥିକେସନ୍ ଏଗ୍ରିମେଣ୍ଟଗୁଡ଼ିକ ଉପରେ ଷ୍ଟାମ୍ପ ଶୁଳ୍କ ଆଦାୟ କରାଯିବ ନାହିଁ । ଭାରତୀୟ ଷ୍ଟାମ୍ପ ଆଇନ, ୧୮୯୯ର ଧାରା ୯(୧)(କ) ଅନୁଯାୟୀ ଏହି ଶୁଳ୍କ ଛାଡ଼ କରିଯାଇଛି । ରାସ୍ତାକଡ଼ ବ୍ୟବସାୟୀମାନେ ଏହା ଦ୍ୱାରା ଲାଭାନ୍ୱିତ ହେବେ । ଋଣ ନେବା ସମୟରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । ଏହା ଦ୍ୱାରା ଛୋଟ ବ୍ୟବସାୟୀମାନଙ୍କ ଜୀବିକାକୁ ଅଧିକ ସୁଦୃଢ଼ କରିବା ସହ ସେମାନଙ୍କ ଆର୍ଥିକ ସଶକ୍ତିକରଣରେ ସହାୟକ ହେବ ବୋଲି ଆଶା କରାଯାଉଛି ।