ପିଏମ୍‌ସି ସ୍ବାସ୍ଥ୍ୟ କାର୍ଯ୍ୟାଳୟରେ ସଫେଇ କର୍ମଚାରୀଙ୍କ ଘେରଉ

ପୁରୀ: ପୁରୀ ମହାନଗର ନିଗମ(ପିଏମସି) ମୁଖିଆ କହିଲେଣି ପୁରୀରେ ଭୁବନେଶ୍ୱର ଭଳି ଦୁଇ ଥର ସଫା ହବ। ଆନ୍ତର୍ଜାତିକ ପର୍ଯ୍ୟଟନ ସହରକୁ ସ୍ୱଚ୍ଛ ରଖିବାକୁ ହେଲେ ଏଥର ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସଫା କରିବାକୁ ହେବ ବୋଲି ପିଏମ୍‌ସି କମିସନର ଅରୁଗୁଳା ସ୍ନେହା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯାହାକୁ ନେଇ ସଫେଇ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ୫୦ରୁ ଊର୍ଦ୍ଧ୍ବ ସଫେଇ କର୍ମଚାରୀ ପିଏମସି ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଘେରଉ କରିଛନ୍ତି। ପୌରସଂସ୍ଥା ଅଧୀନରେ ଥିବା ପୁରୀରେ ୪୧୭ ଜଣ ସଫେଇ କର୍ମଚାରୀ ରହିଛନ୍ତି। ସେଥିମଧ୍ୟରୁ ସ୍ଥାୟୀ କର୍ମଚାରୀ ୩୦ ଜଣ ରହିଥିବାବେଳେ ୩୮୭ ଜଣ ଠିକା ଭାବେ କାମ କରନ୍ତି। ସେମାନଙ୍କ ପାଇଁ ‘କାମ ନାହିଁ ତ ଦରମା ନାହିଁ’। ପୁର୍ବରୁ ସଫେଇ କର୍ମଚାରୀ ୪୬୪ ଜଣ ରହିଥିବାବେଳେ ତାହା ବର୍ତ୍ତମାନ ୪୧୭ରେ ପହଞ୍ଚିଛି। ଗାଡ଼ି ଖାନା, ମାର୍କେଟ ଛକ, ଆଇଟିଆଇ ଛକ, ନରେନ୍ଦ୍ର ପୁଷ୍କରିଣୀ, ବସଷ୍ଟାଣ୍ତ ଓ ଦାମୋଦର ଛକ, ଏଭଳି ୭ ଭାଗରେ ବିଭକ୍ତ କରାଯାଇ ସହରକୁ ସଫେଇ କରାଯାଉଛି।
ସଫେଇ କର୍ମଚାରୀମାନେ ଅଭିଯୋଗ କରିଛନ୍ତି କି, ଖାଲି ପଦବୀ ପୂରଣ ହେଉନାହିଁ, ହେଲେ କାମ ବଢି ବଢି ଚାଲିଛି। ଗତ ମାସର ଦରମା ଏପର୍ଯ୍ୟନ୍ତ ମିଳିନାହିଁ। ସେମାନଙ୍କ ପାଇଁ ବିଶ୍ରାମସ୍ଥଳୀ ନାହିଁ। ଠିକା ପ୍ରଥା ସେମାନଙ୍କ ପାଇଁ ବଡ଼ ଅଭିଶାପ ସାଜିଛି। ପୁର୍ବରୁ ଭୋର ୪ଟା ରୁ ସକାଳ ୮ ପର୍ଯ୍ୟନ୍ତ କାମ କରିବାକୁ ପଡୁଥିବାବେଳେ ଏବେ କୁହାଯାଇଛି ସକାଳ ୬ଟାରୁ ୨ ଘଟିକା ପର୍ଯ୍ୟନ୍ତ କାମକରିବାକୁ ପଡିବ। କିନ୍ତୁ ସେଇ ଦରମାରେ। ଏ ନେଇ କର୍ମଚାରୀମାନେ ପୁରୀ ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପୁରୀ ମ୍ୟୁନିସିପାଲ ଶ୍ରମିକ ୟୁନିୟନ ପକ୍ଷରୁ ଦାବୀ ଉପସ୍ଥାପନା କରାଯାଇଛି। ବଜାରରେ ଦର ବୃଦ୍ଧି ଦେଖି ସର୍ବନିମ୍ନ ମଜୁରୀ ୮୦୦ ଟଙ୍କାକୁ ବୃଦ୍ଧି କରିବା, କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ସମସ୍ତଙ୍କୁ ତୁରନ୍ତ ପ୍ରଦାନ କରିବା, ପରିମଳ କର୍ମଚାରୀଙ୍କୁ ଅଭିଜ୍ଞତା ଓ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଦେବା, ଉପସ୍ଥାନ ପାଇଁ ମୋବାଇଲ ଫଟୋ ପରିବର୍ତ୍ତେ ପିଙ୍ଗରପ୍ରିଣ୍ଟ ନେବା, ୨ ବେଳା କାମ ପରିବର୍ତ୍ତେ ସକାଳ ୭ ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଅନୁମତି ଦେବା ଆଦି ଦାବି ରହିଛି। ଏହି ଦାବିକୁ ନେଇ ସୋମବାର ପୌରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ସଙ୍ଘ ସମ୍ପାଦକ ଟୁନା ନାୟକ କହିଛନ୍ତି।