ପିପିଲିର ପ୍ରାଚୀନ ରାଧାକୃଷ୍ଣ ମନ୍ଦିରରୁ ଚୋରି: ତଦନ୍ତ ପାଇଁ ପହଞ୍ଚିଲା ସନ୍ଧାନୀ କୁକୁର

ଭୁବନେଶ୍ବର: ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ନୂଆଶାସନ ପାଟଣା ସାହିରେ ଏକ ଅଭାବନୀୟ ଘଟଣା କ୍ରମରେ ଦୁର୍ବୃତ୍ତମାନେ ଶହ ଶହ ବର୍ଷର ପୁରୁଣା ରାଧାକୃଷ୍ଣ ମନ୍ଦିରରୁ କଳାକନା ବୁଲାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଏହି ବଡ଼ ଧରଣର ଚୋରି ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ସମେତ ପିତ୍ତଳ ସାମଗ୍ରୀ, ଘଣ୍ଟା, ଘଣ୍ଟି ଏବଂ ଠାକୁରଙ୍କ ମୁକୁଟ ଲୁଟି ନେଇଛନ୍ତି। କେବଳ ସେତିକି ନୁହେଁ, ଚୋରମାନେ ମନ୍ଦିରରେ ଥିବା ଦାନ ବାକ୍ସକୁ ମଧ୍ୟ ତାଡ଼ି ନେଇଯାଇଛନ୍ତି। ଲୁଟ୍‌ ସମୟରେ ଦୁର୍ବୃତ୍ତମାନେ ଅତି ଅମାନୁଷିକ ଭାବେ ଠାକୁରଙ୍କୁ ସିଂହାସନରୁ ତଳକୁ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି, ଯାହା ଶ୍ରଦ୍ଧାଳୁଙ୍କ ଭକ୍ତି ଓ ଆସ୍ଥାକୁ ଗଭୀର ଆଘାତ ଦେଇଛି। ଆଜି ସକାଳୁ ମନ୍ଦିର ଦ୍ୱାର ଫିଟିବା ପରେ ଏହି ଚୋରି ସମ୍ପର୍କରେ ଜଣାପଡ଼ିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ସନ୍ଧାନୀ କୁକୁରର ସହାୟତା ନିଆଯାଉଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହେଉଛି।