ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଏବେ ଭାରତୀୟ ଅର୍ଥନୀତି ଉପରେ ପଡ଼ିବାରେ ଲାଗିଛି। ଏହି ସଂକଟଜନକ ସମୟରେ ଦେଶବାସୀଙ୍କୁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ହାଇଦ୍ରାବାଦରେ ଏକ ଜନସଭାକୁ ସମ୍ବୋଧିତ କରି ମୋଦୀ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ସୁନା କିଣିବାରୁ ନିବୃତ୍ତ ରହିବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି, “ଘରେ ଯେକୌଣସି କାର୍ଯ୍ୟକ୍ରମ ହେଉ କିମ୍ବା ଉତ୍ସବ ହେଉ, ଆମେ ଗୋଟିଏ ବର୍ଷ ପାଇଁ ସୁନା ଅଳଙ୍କାର କିଣିବାରୁ ନିବୃତ୍ତ ରହିବା। ସେ କହିଥିଲେ ଯେ କୋଭିଡ-19 ମହାମାରୀ ସମୟରେ, ଆମେ ଘରୁ କାମ, ଅନଲାଇନ୍ ମିଟିଂ, ଭିଡିଓ କନଫରେନ୍ସ ଏବଂ ଏପରି ଅନେକ ବ୍ୟବସ୍ଥା ଗ୍ରହଣ କରିଥିଲୁ। ଆମେ ସେଗୁଡ଼ିକରେ ଅଭ୍ୟସ୍ତ ମଧ୍ୟ ହୋଇଥିଲୁ । ଏବେ ସେହି ଅଭ୍ୟାସଗୁଡ଼ିକୁ ପୁଣି ଥରେ ଆରମ୍ଭ କରିବାର ସମୟ ଆସିଛି । କାରଣ ଏହା ଦେଶର ସର୍ବୋତ୍ତମ ହିତରେ ହେବ ଏବଂ ଆମେ ସେଗୁଡ଼ିକୁ ପୁଣି ଥରେ ପ୍ରାଥମିକତା ଦେବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମଧ୍ୟବିତ୍ତ ବର୍ଗଙ୍କ ମଧ୍ୟରେ ବିବାହ ପାଇଁ ବିଦେଶ ଯାତ୍ରା କରିବାର କଲଚର ବଢ଼ୁଛି। ଏହା ଏକ ସଙ୍କଟର ସମୟ। ଆମର ଦେଶପ୍ରେମ ଆମକୁ ଆହ୍ୱାନ କରୁଛି, ଆମେ ଅତି କମରେ ଗୋଟିଏ ବର୍ଷ ପାଇଁ ବିଦେଶ ଯାତ୍ରା ସ୍ଥଗିତ ରଖିବା ପାଇଁ ସଂକଳ୍ପ ନେବା ଉଚିତ। ଭାରତରେ ଅନେକ ସୁନ୍ଦର ସ୍ଥାନ ଅଛି ଯାହାକୁ ଆମେ ପରିଦର୍ଶନ କରିପାରିବା ।ସେ କହିଛନ୍ତି ଯେ ପେଟ୍ରୋଲ, ଡିଜେଲ, ଗ୍ୟାସ ଏବଂ ସାରର ମୂଲ୍ୟ ବହୁତ ବୃଦ୍ଧି ପାଇଛି। ନାଗରିକମାନଙ୍କ ଉପରେ ଯେପରି ବୋଝ ନ ପଡେ ତାହା ନିଶ୍ଚିତ କରିବା ପାଇଁ, ସରକାର ସମ୍ପୂର୍ଣ୍ଣ ବୋଝ ମୁଣ୍ଡାଇଛନ୍ତି। ଯେତେବେଳେ ଯୋଗାଣ ଶୃଙ୍ଖଳରେ ସଙ୍କଟ ବଢେ, ତୁମେ ଯାହା କର ନା କାହିଁକି, ସଙ୍କଟ ଆସିବ ହିଁ। ଯଦି ଦେଶ ସଙ୍କଟର ସମ୍ମୁଖୀନ ହୁଏ, ତେବେ ଆମକୁ ଏକ ହୋଇ ଲଢ଼ିବାକୁ ପଡିବ।