ଆଜମେର ଦରଘା ପାଇଁ ପିମଏ ମୋଦୀ ପଠାଉଥିବା ଚାଦର, ଚଢାଇବା ଉପରେ ରୋକ୍ ଲଗାଯାଉ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜମେର ଶରିଫ୍ ଦରଘାକୁ ପଠାଇଥିବା ଚାଦର ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଛି । ବିଶ୍ୱ ବୈଦିକ ସନାତନ ସଂଘର ମୁଖ୍ୟ ଜିତେନ୍ଦ୍ର ସିଂହ ଏବଂ ବିଷ୍ଣୁ ଗୁପ୍ତାଙ୍କ ଦ୍ୱାରା ଦାୟର କରାଯାଇଥିବା ଏହି ଆବେଦନରେ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଆଜମେର ଦରଘାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ବାର୍ଷିକ ଚାଦର ଅର୍ପଣକୁ ତୁରନ୍ତ ବନ୍ଦ କରିବାକୁ ଦାବି କରାଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲା ବାଗଚୀଙ୍କ ଖଣ୍ଡପୀଠରେ ଏହି ଆବେଦନ ହୋଇଛି। ତେବେ ତତ୍କାଳ ଶୁଣାଣି ପାଇଁ କରାଯାଇଥିବା ଦାବିକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ଆବେଦନରେ କୁହାଯାଇଛି ଯେ, ପିଏମ ମୋଦୀଙ୍କ ପକ୍ଷରୁ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଦରଘାରେ ଚାଦର ଚଢାଇବା ପାଇଁ ପଠାଯାଇଛି । ଏହାକୁ ୮୧୪ତମ ବାର୍ଷିକ ଉର୍ସ ଅବସରରେ ଚଢା ଯିବାର ଅଛି । ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ କିରେନ ରିଜିଜୁ ଏହି ଚାଦରକୁ ପିଏମ ମୋଦୀଙ୍କ ପକ୍ଷରୁ ଚଢାଇବେ । ଏହା ଉପରେ ରୋକ୍ ଲଗାଇବାକୁ ଦାବି ହୋଇଛି । ଆବେଦନରେ ଦର୍ଶାଯାଇଛି ଯେ, ଆଜମେର ଦରଘାରେ ପିଏମ ମୋଦୀଙ୍କ ପକ୍ଷରୁ ଚାଦର ଚଢାଇବା ଭୁଲ୍ ଅଟେ । କାରଣ ଦାବି କରାଯାଉଛି ଯେ, ଉକ୍ତ ଦରଘାରେ ଶିବଙ୍କ ମନ୍ଦିର ଥିଲା ଏବଂ ଏହି ସମ୍ବନ୍ଧରେ ଅଦାଲତରେ ଏକ ଯାଚିକାର ଶୁଣାଣି ଚାଲିଛି । ଏଥିପାଇଁ ପିଏମ ମୋଦୀଙ୍କ ପକ୍ଷରୁ ପଠାଯାଉଥିବା ଚାଦର ଉପରେ ରୋକ ଲଗାଯାଉ ଏବଂ ତତ୍କାଳ ପିଟିସନ ଉପରେ ଶୁଣାଣି ହେଉ । ଏହା ଉପରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ଆଜି ଏହା ଉପରେ ଶୁଣାଣି ହୋଇ ପାରିବ ନାହିଁ । ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଆଜମେର ଦରଘା ପାଇଁ ଚାଦର ପଠାଯାଏ । ଆଉ ପିଏମ ମୋଦୀ ଏହି ପରମ୍ପରାକୁ କାଏମ ରଖିଛନ୍ତି ।