ପିଏମ୍ ମୋଦୀଙ୍କୁ ନିଜର ସର୍ବୋଚ୍ଚ ନାଗରିକ ସମ୍ମାନ ଦେଲା ତ୍ରିନିଦାଦ ଓ ଟବାଗୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତ୍ରିନିଦାଦ ଓ ଟବାଗୋର ସର୍ବୋଚ୍ଚ ନାଗିରକ ସମ୍ମାନ ‘ଦ ଅର୍ଡର ଅଫ୍ ଦ ରିପବ୍ଲିକ୍ ଅଫ୍ ତ୍ରିନିଦାଦ ଆଣ୍ଡ ଟବାଗୋ’ରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ତାଙ୍କୁ ଦେଶର ରାଷ୍ଟ୍ରପତି କ୍ରିଷ୍ଟ୍ରିନ କାଙ୍ଗାଲୁଙ୍କ ଦ୍ୱାରା ପ୍ରଦାନ କରାଯାଇଛି । ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୌଣସି ବିଦେଶ ଦେଶ ଦ୍ୱାରା ପ୍ରଦାନ କରାଯାଇଥିବା ୨୫ତମ ଅନ୍ତର୍ଜାତୀୟ ସମ୍ମାନ । ଏହା ପୂର୍ବରୁ ରୁଷ, ସାଉଦି ଆରବ, ସଂଯୁକ୍ତ ଅରବ ଏମିରାଟ୍, ଫ୍ରାନ୍ସ ସମେତ ଅନେକ ଦେଶ ଦ୍ୱାରା ଶୀର୍ଷ ସମ୍ମାନ ମିଳିସାରିଛି । ଏହି ସମ୍ମାନ ସହ ପ୍ରଧାନମନ୍ତ୍ରୀ ମୋଦୀ ତ୍ରିନିଦାଦ ଓ ଟବାଗୋ ଗଣରାଜ୍ୟ ଇତିହାସରେ ଏହି ସର୍ବୋଚ୍ଚ ସମ୍ମାନ ପାଇବାରେ ପ୍ରଥମ ବିଦେଶୀ ନେତା ହୋଇଛନ୍ତି । ଏହି ସମ୍ମାନକୁ ଭାରତ ଓ ତ୍ରିନିଦାଦ ଓ ଟବାଗୋ ମଧ୍ୟରେ ମଜଭୁତ ହେଉଥିବା ଦ୍ୱିପାକ୍ଷିତ ସମ୍ପର୍କ, ବୈଶ୍ୱିକ ମଞ୍ଚରେ ଭାରତର ସକ୍ରିୟ ଭୂମିକା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ମାନ୍ୟତା ଦେବା ରୂପେ ଦେଖାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମାନ ପାଇବା ପରେ କହିଛନ୍ତି, ଏହି ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ‘ଦ ଅର୍ଡର ଅଫ୍ ଦ ରିପବ୍ଲିକ୍ ଅଫ୍ ତ୍ରିନିଦାଦ ଆଣ୍ଡ ଟବାଗୋ’ ପାଇଁ ଆପଣଙ୍କ ସରକାର ଓ ଲୋକଙ୍କୁ କୃତଜ୍ଞତା ଜଣାଉଛି । ମୁଁ ଏହି ସମ୍ମାନକୁ ୧୪୦ କୋଟି ଭାରତବାସୀଙ୍କ ତରଫରୁ ମିଳିତ ଗୌରବ ରୂପେ ସ୍ୱୀକାର କରୁଛି । ଏହି ସମ୍ମାନ ପ୍ରଥମ ଥର କୌଣସି ବିଦେଶୀ ନେତାଙ୍କୁ ଦିଆଯିବା ଆମ ସମ୍ପର୍କର ଗଭୀରତାକୁ ଦର୍ଶାଉଛି । ଏହି ସମ୍ପର୍କ ଆମର ମିଳିତ ଇତିହାସ ଓ ସାଂସ୍କୃତିକ ଐତିହ୍ୟ ଉପରେ ଆଧାରିତ ।