ମଣିପୁରରେ ୭,୩୦୦ କୋଟିର ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁରର ଚୁରାଚାନ୍ଦପୁରରେ ୭,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମଣିପୁର ମାଟି ହେଉଛି ସାହସ ଓ ଦୃଢ଼ତାର ଭୂମି ଏବଂ ମଣିପୁରର ପାହାଡ଼ଗୁଡ଼ିକ ପ୍ରକୃତିର ଏକ ଅମୂଲ୍ୟ ଉପହାର। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପାହାଡ଼ଗୁଡ଼ିକ ଲୋକଙ୍କ ନିରନ୍ତର କଠିନ ପରିଶ୍ରମକୁ ମଧ୍ୟ ପ୍ରତିନିଧିତ୍ୱ କରୁଛି। ମଣିପୁରର ଲୋକଙ୍କ ଅଦମ୍ୟ ମନୋବଳକୁ ସଲାମ ଜଣାଇ ଶ୍ରୀ ମୋଦୀ ଏତେ ବିପୁଳ ସଂଖ୍ୟାରେ ଆସିଥିବା ଲୋକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ସେମାନଙ୍କ ସ୍ନେହ ପାଇଁ ଧନ୍ୟବାଦ ଜଣାଇଛନ୍ତି।ଏହି ଅଞ୍ଚଳର ସଂସ୍କୃତି, ପରମ୍ପରା, ବିଭିନ୍ନତା ଏବଂ ପ୍ରାଣବନ୍ତ ଭାରତର ଏକ ପ୍ରମୁଖ ଶକ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, “ମଣିପୁର” ନାମରେ “ମଣି” ଶବ୍ଦ ରହିଛି, ଯାହା ଆଗାମୀ ସମୟରେ ସମଗ୍ର ଉତ୍ତର-ପୂର୍ବର ଉଜ୍ଜ୍ୱଳତାକୁ ଆହୁରି ବୃଦ୍ଧି କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ସରକାର ମଣିପୁରର ବିକାଶ ଯାତ୍ରାକୁ ତ୍ୱରାନ୍ୱିତ କରିବା ପାଇଁ ନିରନ୍ତର ଭାବରେ କାର୍ଯ୍ୟ କରିଆସୁଛି। ସେ କହିଛନ୍ତି ଯେ, ଏହି ମନୋଭାବ ନେଇ ସେ ଆଜି ମଣିପୁରର ଲୋକଙ୍କ ମଧ୍ୟକୁ ଆସିଛନ୍ତି। ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ, ପ୍ରାୟ ୭,୦୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରାଯାଇଛି। ଯାହା ମଣିପୁରର, ବିଶେଷକରି ପାହାଡ଼ରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ଜୀବନ ଶୈଳୀକୁ ଉନ୍ନତ କରିବ। ସେ କହିଛନ୍ତି ଯେ, ଏହି ପ୍ରକଳ୍ପଗୁଡ଼ିକ ସମ୍ପୃକ୍ତ ଅଞ୍ଚଳ ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ନୂତନ ସୁବିଧା ସୃଷ୍ଟି କରିବ । ଏଥିସହିତ ଏହି ନୂତନ ପଦକ୍ଷେପ ପାଇଁ ମଣିପୁର ଓ ଚୁରାଚାନ୍ଦପୁରର ଲୋକଙ୍କୁ ପ୍ରଧାନମନ୍ତ୍ରୀ ତାଙ୍କର ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି। ମଣିପୁର ଏକ ସୀମାନ୍ତ ରାଜ୍ୟ ଯେଉଁଠାରେ ସଂଯୋଗୀକରଣ ସର୍ବଦା ଏକ ପ୍ରମୁଖ ଚ୍ୟାଲେଞ୍ଜ ହୋଇଆସିଛି ବୋଲି ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ। ସୁଗମ ରାସ୍ତା ଅଭାବରୁ ଲୋକମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ସ୍ୱୀକାର କରି କହିଛନ୍ତି ଯେ, ସେ ସେମାନଙ୍କ ସମସ୍ୟାକୁ ବୁଝିପାରୁଛନ୍ତି । ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ୨୦୧୪ ମସିହାରୁ, ସେ ମଣିପୁରରେ ସଂଯୋଗୀକରଣ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ନିରନ୍ତର ଧ୍ୟାନ ଦେଇଆସୁଛନ୍ତି ଏବଂ ଭାରତ ସରକାର ଏହି ସମସ୍ୟାର ସମାଧାନ ପାଇଁ ଦୁଇଟି ସ୍ତରରେ କାର୍ଯ୍ୟ କରୁଛି। ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ପ୍ରଥମତଃ, ମଣିପୁରରେ ରେଳ ଏବଂ ସଡ଼କ ଭିତ୍ତିଭୂମି ପାଇଁ ବଜେଟ ବହୁ ଗୁଣ ବୃଦ୍ଧି କରାଯାଇଛି । ଦ୍ୱିତୀୟତଃ, କେବଳ ସହରଗୁଡ଼ିକୁ ନୁହେଁ ବରଂ ଗ୍ରାମଗୁଡ଼ିକୁ ମଧ୍ୟ ସଡ଼କ ସଂଯୋଗୀକରଣ ବିସ୍ତାର କରିବା ପାଇଁ ପ୍ରୟାସ କରାଯାଉଛି।
 

PM lays foundation stone of projects worth Rs 7