କୋବା ତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ‘ସମ୍ରାଟ ସମ୍ପ୍ରତି’ ସଂଗ୍ରହାଳୟ ଉଦଘାଟିତ

ନୂଆଦିଲ୍ଲୀ: ପବିତ୍ର ମହାବୀର ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଗାନ୍ଧୀନଗରସ୍ଥିତ କୋବା ତୀର୍ଥଠାରେ ‘ସମ୍ରାଟ ସମ୍ପ୍ରତି ସଂଗ୍ରହାଳୟ’ (ଜୈନ ଐତିହ୍ୟ ସଂଗ୍ରହାଳୟ)କୁ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜୈନ ଧର୍ମର କାଳଜୟୀ ଜ୍ଞାନ ଓ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। କୋବା ତୀର୍ଥକୁ ଆଧ୍ୟାତ୍ମିକ ଶାନ୍ତିର ଏକ ପବିତ୍ର ସ୍ଥଳ ଭାବେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏଠାରେ ଅନେକ ଜୈନ ମୁନି ଓ ସନ୍ଥଙ୍କ ତପସ୍ୟାର ଅଭିବ୍ୟକ୍ତି ଦେଖିବାକୁ ମିଳେ। ଏହି ସ୍ଥାନରେ ସୃଜନଶୀଳତା ଓ ସେବା ମନୋଭାବ ପ୍ରାକୃତିକ ଭାବେ ବିକଶିତ ହୋଇଥାଏ। ମୂଲ୍ୟବୋଧର ସଂରକ୍ଷଣ, ସଂସ୍କାରର ପ୍ରସାର ଏବଂ ଜ୍ଞାନର ବିକାଶକୁ ‘ତ୍ରିବେଣୀ’ ସଙ୍ଗମ ସହ ତୁଳନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହାହିଁ ଭାରତୀୟ ସଭ୍ୟତାର ପ୍ରକୃତ ଭିତ୍ତିଭୂମି। ଏହି ଧାରାକୁ ଅବିରତ ରଖିବା ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ। ଜୈନ ଐତିହ୍ୟ ସଂଗ୍ରହାଳୟ ମାଧ୍ୟମରେ ପ୍ରାଚୀନ ଜ୍ଞାନକୁ ଏକ ନୂତନ ଓ ଆଧୁନିକ ଶୈଳୀରେ ପରବର୍ତ୍ତୀ ପିଢ଼ି ପାଇଁ ସାଇତି ରଖାଯାଇଛି। ସନ୍ଥମାନଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ‘ସମ୍ରାଟ ସମ୍ପ୍ରତି ସଂଗ୍ରହାଳୟ’ ସାକାର ହୋଇପାରିଛି।