ରାୟଗଡା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ରାୟଗଡ଼ା ଜିଲ୍ଲାଠାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ପ୍ରାୟ ୧୭୦୦ କୋଟି ଟଙ୍କା ବିନିମୟରେ ୮୨୭ଟି ନୂଆ ସଡ଼କ ନିର୍ମାଣ କରାଯିବ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗଦେଇଥିଲେ l ଏହି ସଡ଼କ ଯୋଗୁଁ ଜିଲ୍ଲାର ୩୧୪ଟି ଜନବସତି ଗ୍ରାମକୁ ଯୋଗାଯୋଗ ହୋଇପାରିବ ବୋଲି କହିବା ସହ ଜିଲ୍ଲାରେ ନୂତନ ଭାବରେ ୫୫୨. ୨୧କିଲୋମିଟର ନୂତନ ରାସ୍ତା ନିର୍ମାଣ ହେବ l ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ରେ ଓଡ଼ିଶାର ରାୟଗଡ଼I ଜିଲ୍ଲାରେ ସର୍ବାଧିକ ପ୍ରକଳ୍ପ ରହିଛି l ଏହି ଯୋଜନାରେ ରାଜ୍ୟର ଅର୍ଥନୈତିକ ଏବଂ ସାମାଜିକ ସେବାର ଉପଲବ୍ଧତାକୁ ସକ୍ଷମ କରିବା, କୃଷି ଆୟ ବୃଦ୍ଧି କରିବା, ଉତ୍ପାଦନଶୀଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଦାରିଦ୍ର୍ୟ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିବ । ଏହି ଯୋଜନାରେ ପୂର୍ବରୁ ସଂଯୋଗ ହୋଇନଥିବା ଗ୍ରାମୀଣ ବସତିଗୁଡ଼ିକୁ ସବୁ ପାଣିପାଗରେ ଚାଲୁରହୁଥିବା ରାସ୍ତା ସହ ସଂଯୋଗ କରାଯିବ। ରାସ୍ତା କାର୍ଯ୍ୟରେ କୌଣସି ଅନିୟମିତତା ହେଲେ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି I