ପିପିଲି ଉପନିର୍ବାଚନ ପ୍ରଚାର ଶେଷ : ଆସନ୍ତା କାଲି ୩୪୮ ବୁଥରେ ମତଦାନ

୩୦ତାରିଖ ଗୁରୁବାର ରେ ପିପିଲି ଉପନିର୍ବାଚନ ପାଇଁ ୩୪୮ ବୁଥରେ ମତଦାନ ହେବ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ବନ୍ଦ କରିଥିବାବେଳେ ଆସନ୍ତା ୩୦ତାରିଖରେ ପିପିଲି ନିର୍ବାଚନମଣ୍ଡଳୀର ମୋଟ ୩୪୮ଟି ବୁଥରେ ୨ଲକ୍ଷ ୨୯ହଜାର ୯୯୮ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ବୋଲି ଜଣାପଡ଼ିଛି। ପୂର୍ବରୁ ୩ ଥର ତାରିଖ ଘୋଷଣା ପରେ କରୋନା ସଂକ୍ରମଣ ଓ କଂଗ୍ରେସ ପ୍ରାର୍ଥୀ ଙ୍କ ମୃତ୍ୟୁ ଯୋଗୁ ଭୋଟ ଗ୍ରହଣ ବନ୍ଦ ରହିଥିଲା I
ପିପିଲି ଉପନିର୍ବାଚନ ମଇଦାନରେ ମୋଟ ୧୦ଜଣ ପ୍ରାର୍ଥୀ ରହିଥିଲେ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଓ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲଢ଼େଇ ଜୋରଦାର ହେବାର ସମ୍ଭାବନା ରହିଛି। ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ସମସ୍ତ ପ୍ରକାରର ଏକଜିଟ୍ ପୋଲ ଉପରେ ନିର୍ବାଚନ କମିଶନ କଟକଣା ଜାରି ରହିଛନ୍ତି। କୌଣସି ସମ୍ବାଦପତ୍ର, ଗଣମାଧ୍ୟମ, ନ୍ୟୁଜବ୍ୟୁରୋ, ରେଡିଓ ଓ ଟିଭି ଚ୍ୟାନେଲ ଭୋଟ ଫଳାଫଳର ପୂର୍ବାନୁମାନ ପ୍ରକାଶ କିମ୍ବା ପ୍ରସାରଣ କରିପାରିବେ ବୋଲି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି
ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପିପିଲି ଉପନିର୍ବାଚନ ପାଇଁ ମୋଟ ୩୪୮ ବୁଥରେ ଭୋଟଗ୍ରହଣ କରାଯିବ। ଏହି ବୁଥ ମଧ୍ୟରୁ ପ୍ରାୟ ୧୦୨ଟି ବୁଥକୁ ଅତିସମ୍ବେଦନଶୀଳ ଘୋଷଣା କରାଯାଇ ସେଠାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସାନିଟାଇଜର, ଥର୍ମାଲ ସ୍କାନିଂ ଆଦି ବ୍ୟବସ୍ଥା ସହିତ କୋଭିଡ୍ ଗାଇଡଲାଇନକୁ କଡାକଡି ଭାବରେ ପାଳନ କରି ଭୋଟଗ୍ରହଣ କରାଯିବ । ଏଥିପାଇଁ ମୋଟ ୧୭୪୦ଜଣ ପୁଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବାବେଳେ ୩୪୦ଜଣଙ୍କୁ ରିଜର୍ଭ ରଖାଯାଇଛି । ମୋଟ ୨.୨୯ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ ବୋଲି ସୂଚନା ମିଳିଛି।

Comments (0)
Add Comment