ସପୁରୀ ଚାଷ


ଚାଷ କରାଯାଉଥିବା ଫଳମାନଙ୍କ ମଧ୍ୟରେ ସପୁରିର ନାମ ଅନ୍ୟତମ । ତୁଳନାତ୍ମକ ଭାବେ କମ୍ ଯତ୍ନରେ ଏହାକୁ ଚାଷ କରାଯାଇଥାଏ । ଏହି ଗଛ ବ୍ରାଜିଲରେ ଜନ୍ମ ହୋଇଛି ବୋଲି ଅନୁମାନ କରାଯାଏ । କେତେକଙ୍କ ମତରେ ସପୁରି ୧୫୪୮ ମସିହାରେ ଆମ ଦେଶରେ ପ୍ରବେଶ କରିଛି । ଆମ ଦେଶରେ ଆସାମ, ପଶ୍ଚିମବଙ୍ଗ ଓ ପଶ୍ଚିମ ଉପକୂଳରେ ଏହା ବିଶେଷ ଭାବେ ଚାଷ କରାଯାଇଥାଏ । ଏହି ଫଳକୁ ସିଧାସଳଖ ଖିଆଯାଏ । ତାଛଡ଼ା ଏଥିରୁ ସାଲାଡ୍‌, ସ୍କ୍ୱାସ୍‌, ଆଚାର ଆଦି ମଧ୍ୟ ପ୍ରସ୍ତୁତ କରାଯାଏ । ପାଚିଲା ସପୁରିରେ ଶତକଡ଼ା ୧୯.୨ ଭାଗ ରସ ଥାଏ । ସପୁରିର ଶତକଡ଼ା ୬୫.୭ ଭାଗ ଅଂଶ ଖାଦ୍ୟ ଉପଯୋଗୀ ଅଟେ । ଅବଶିଷ୍ଟ ଅଂଶ ଫିଙ୍‌ଗ ଯାଇଥାଏ । ସପୁରି ରସରେ ଶତକଡ଼ା ୪.୩ ଭାଗ ଶର୍କରା ଅଂଶ ରହିଛି ।
ସପୁରି ଫଳର ଶତକଡ଼ା ୮୬ ଭାଗ ଜଳୀୟ ଅଂଶ, ୧୨ ଭାଗ ଶ୍ୱେତସାର, ୦.୬ ଭାଗ ପୁଷ୍ଟିସାର, ୦.୩ ଭାଗ ସ୍ନେହସାର, ୦.୫ ଭାଗ ତନ୍ତୁଜାତୀୟ ପଦାର୍ଥ ଓ ୦.୫ ଭାଗ ଖଣିଜ ଲବଣ ରହିଥାଏ । ଏଥିସହିତ ଯଥେଷ୍ଟ ପରିମାଣର ଜୀବନିକା କ ଓ ଗ ରହିଥିବାର ଜଣାଯାଏ ।
ଆର୍ଦ୍ର ଜଳବାୟୁରେ ସପୁରି ଭଲ ହୋଇଥାଏ । ଆଂଶିକ ଭାବେ ଛାଇ ହେଉଥିଲେ ସପୁରିରୁ ଭଲ ଅମଳ ମିଳେ । ତେଣୁ ଅନ୍ୟାନ୍ୟ ଫଳ ବଗିଚାରେ ଏହାକୁ ଅନ୍ତଃଫସଲ ଭାବରେ ଲଗାଯାଇ ପାରିବ । ଶୀତଦିନେ ସାମାନ୍ୟ ଥଣ୍ଡା ପଡ଼ୁଥିଲେ ଉନ୍ନତ ମାନର ଫଳ ମିଳିଥାଏ ।
ବିଭିନ୍ନ ପ୍ରକାରର ମାଟିରେ ସପୁରି ଚାଷ କରାଯାଇ ପାରିବ । ବାଲିଆ ଏବଂ ଦୋରସା ମାଟିରେ ଏହା ଫଳ ହୋଇଥାଏ । ପାହାଡ଼ିଆ ଅଞ୍ଚଳରେ ଥିବା ଲାଲ ମାଟିରେ ମଧ୍ୟ ଚାଷ କରାଯାଇଥାଏ । ଜମି ନିଗିଡ଼ା ହୋଇଥିବା ଦରକାର । ମାଟିର ଅମ୍ଳ ପରିମାପକ ମୂଲ୍ୟ ୫ରୁ ୬ ମଧ୍ୟରେ ରହିବା ଉଚିତ ।
ସପୁରିର ଅନେକ ଉନ୍ନତ କିସମ ରହିଛି । ସେସବୁ ହେଲା – କିଉ, କୁଇନ୍‌, ଜିଆଣ୍ଟ୍ କିଉ, ମରିସସ୍‌, ଜଳଧୂପ, ସୀମାଚଳ ଇତ୍ୟାଦି । କନ୍ଦା ପୁଆ ଏବଂ ମୁକୁଟ ପୁଆ ଦ୍ୱାରା ଏହା ବଂଶବିସ୍ତାର କରିଥାଏ । ପୁଆଗୁଡ଼ିକ ନିରୋଗା ଏବଂ ୩୦୦ ଗ୍ରାମ ଓଜନ ବିଶିଷ୍ଟ ହେଲେ ଭଲ ।
ବିଭିନ୍ନ ଭାବରେ ସପୁରି ଲଗାଯାଇଥାଏ । ଦୁଇ ଧାଡ଼ି ମଝିରେ ନାଳ କରିବାକୁ ହୁଏ । ଳଗାଇବା ଦୂରତା ଅନୁସାରେ ଗଛ ସଂଖ୍ୟା ନିମ୍ନରେ ପ୍ରଦାନ କରାଗଲା ।
ନାଳରୁ ନାଳ ଧାଡ଼ିକୁ ଧାଡ଼ି ଗଛକୁ ଗଛ ଏକର ପ୍ରତି
ଦୂରତା (ସେ.ମି.) ଦୂରତା (ସେ.ମି.) ଦୂରତା (ସେ.ମି.) ଗଛ ସଂଖ୍ୟା
୧୨୦ ୬୦ ୩୦ ୧୪୦୦୦
୯୦ ୬୦ ୩୦ ୧୭୪୦୦
୯୦ ୬୦ ୨୫ ୨୧୨୦୦
ପ୍ରାୟ ୧୦ ସେଣ୍ଟିମିଟର ଗଭୀରରେ ଗାତ କରି ସପୁରି ଲଗାଇବାକୁ ହେବ । ଜୁଲାଇ-ଅଗଷ୍ଟ ମାସରେ ଲଗାଇବା ଭଲ । ଜଳସେଚନର ସୁବିଧା ଥିଲେ ଅକ୍ଟୋବର-ନଭେମ୍ବର ମାସରେ ମଧ୍ୟ ପୁଆ ଲଗାଯାଇପାରେ ।
ଏକର ପ୍ରତି ୨୫-୩୦ ଗାଡ଼ି ଖତ ପ୍ରୟୋଗ କରିବାକୁ ହେବ । ଏଥି ସହିତ ପ୍ରତି ଗଛ ପିଛା ୧୨ ଗ୍ରାମ ଯବକ୍ଷାର, ୪ ଗ୍ରାମ ଫସଫରସ ଓ ୧୨ ଗ୍ରାମ ପଟାସ ସାର ଦେବାକୁ ପଡ଼ିବ । ଏଥିପାଇଁ ୨୬ ଗ୍ରାମ ୟୁରିଆ, ୨୫ ଗ୍ରାମ ସିଙ୍ଗଲ ସୁପର ଫସଫେଟ୍ ଓ ୨୦ ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ଦରକାର ପଡ଼ିବ । ସବୁ ଫସଫରସ୍ ମୂଳ ସାର ଭାବେ ଦେଇ ଯବକ୍ଷାର ଓ ପଟାସ ସାରକୁ ଥର ଥର କରି ପ୍ରୟୋଗ କରାଯିବ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏକ କୁଇଣ୍ଟାଲ ସପୁରି ଅମଳ ପାଇଁ ଗଛ ମାଟିରୁ ୧୮୦ ଗ୍ରାମ ଯବକ୍ଷାର, ୫୦ ଗ୍ରାମ ଫସଫରସ୍ ଓ ୬୩୦ ଗ୍ରାମ ପଟାସ ଗ୍ରହଣ କରିଥାଏ ।
ସାର ପ୍ରୟୋଗ ପରେ ଖୁସାଇଦେଲେ ମାଟି ହାଲୁକା ହୋଇଯାଏ । ଏଥିସହିତ ଅନାବନା ଘାସ ମଧ୍ୟ ମରିଯାଏ । ରାସାୟନିକ ଔଷଧ ପ୍ରୟୋଗ କରି ମଧ୍ୟ ଘାସ ଦମନ କରିହେବ । ଏଥିପାଇଁ ଏକର ପ୍ରତି ୧୨୦୦ ଗ୍ରାମ କାରମେକ୍‌ସ ବା କ୍ଲାଭସ୍ ଔଷଧକୁ ୪୦୦ ଲିଟର ପାଣି ସହ ମିଶାଇ ଜମିରେ ସ୍ପ୍ରେ କରିବାକୁ ପଡ଼ିବ ।
ଗଛ ମୂଳକୁ କରତଗୁଣ୍ଡ, ଶୁଖିଲା ପତ୍ର ବା ପଲିଥିନ୍‌ର ଆଚ୍ଛାଦନରେ ଘୋଡ଼ାଇ ଦେଲେ ଅଧିକ ଅମଳ ମିଳିଥାଏ । ସୁବିଧା ଥିଲେ ଖରାଦିନେ ଓ ଶୀତଦିନେ ପାଣି ମଡ଼ାଇବା ଉଚିତ । ଶୀଘ୍ର ଫୁଲ ଆସିବା ପାଇଁ ୧୦-୨୦ ପିପିଏମ୍ ପ୍ଲାନୋଫିକ୍‌ସ ବା ସେଲେମନ ହରମୋନ ପ୍ରୟୋଗ କରାଯାଇପାରେ । ସେହିପରି ଫଳ ଧରିବାର ୨-୩ ମାସ ପରେ ୨୦୦-୩୦୦ ପିପିଏମ୍ ଏନ୍‌ଏଏ ହରମୋନ ପ୍ରୟୋଗ କଲେ ଫଳର ଆକାର ବଡ଼ ହୋଇଥାଏ । । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏକ ଲିଟର ପାଟିରେ ୧ ମିଲିଗ୍ରାମ ଔଷଧ ମିଶାଇଲେ ୧ ପିପିଏମ୍ ହୋଇଥାଏ ।
ଏହି ଫସଲରେ କନ୍ଦାସଢ଼ା ରୋଗ ଲାଗିବାର ଆଶଙ୍କା ଥାଏ । ଏହି ରୋଗ ହେଲେ ଗଛ ସଢ଼ି ମରିଯାଏ । ପ୍ରତି ଲିଟର ପାଣି ସହ ୧ ଗ୍ରାମ ବାଭିଷ୍ଟିନ୍ ମିଶାଇ ତା ମଧ୍ୟରେ ୩୦ ମିନିଟ୍ ପୁଆକୁ ବୁଡ଼ାଇ ଲଗାଇଲେ ଏହି ରୋଗ ହୁଏନାହିଁ । ବେଳେବେଳେ ସପୁରି ଗଛରେ ଦହିଆ ପୋକ ଲାଗନ୍ତି । ଏକର ପିଛା ୭ କିଲୋଗ୍ରାମ ଫୋରେଟ୍ ପ୍ରୟୋଗ କଲେ ଏହି ପୋକ ଦାଉରୁ ରକ୍ଷା ମିଳିବ ।
ଗଛ ଲଗାଇବାର ୧୮-୨୪ ମାସରେ ଫୁଲ ଆସିଥାଏ । ଫଳ ଅମଳ ହେବାକୁ ପ୍ରାୟ ୩-୪ ମାସ ଲାଗେ । ଏକର ପିଛା ହାରାହାରି ୨୦୦-୨୪୦ କ୍ୱିଣ୍ଟାଲ ସପୁରି ଅମଳ ହୋଇଥାଏ ।