ନୂଆଦିଲ୍ଲୀ: ଚଳିତ ମାସ ୧୪ ତାରିଖରେ ଆଗାମୀ ବରିଷ୍ଠ ବିଶ୍ବ କୁସ୍ତି ପ୍ରତିଯୋଗିତା ଲାଗି ଭାରତୀୟ ଦଳ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)ର ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ ଭିନେଶ ଫୋଗତ ଏହି ଚୟନ ପ୍ରକ୍ରିୟାରୁ ବାଦ୍ ପଡ଼ିଥିଲେ। ଫଳରେ ଏଥିରେ ସାମିଲ ହେବା ପାଇଁ ଫୋଗତ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହେଲେ ତାଙ୍କର ଏହି ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଭିନେଶଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ, ଗର୍ଭାବସ୍ଥା, ସନ୍ତାନ ଜନ୍ମ ଓ ସୁସ୍ଥ ହେବା ପରେ ଏହି କୁସ୍ତିଯୋଦ୍ଧା ପ୍ରତିଯୋଗିତାକୁ ଫେରିଛନ୍ତି। କିନ୍ତୁ ଚୟନ ପ୍ରକ୍ରିୟାରେ ତାଙ୍କୁ ସାମିଲ କରାଯାଉନାହିଁ; ଏପରିକି ଚୟନ ପ୍ରକ୍ରିୟାର ମାତ୍ର କିଛି ଦିନ ପୂର୍ବରୁ ତାଙ୍କୁ ମାନଦଣ୍ଡ ବିଷୟରେ ଅବଗତ କରାଯାଇଥିଲା। ଅନ୍ୟପକ୍ଷରେ, ଡବ୍ଲ୍ୟୁଏଫ୍ଆଇ କହିଥିଲା ଯେ ଫୋଗତଙ୍କୁ ପ୍ରତିଯୋଗିତାରୁ ବାରଣ କରାଯାଇନାହିଁ। ଚୟନ ପ୍ରକ୍ରିୟା ଲାଗି ଯୋଗ୍ୟ ହେବା ପୂର୍ବରୁ ତାଙ୍କୁ ଘରୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ କୁହାଯାଇଥିଲା।