ଭୁବନେଶ୍ୱର, ସେପ୍ଟେମ୍ବର ୨୬: ନିରାପଦ, ପ୍ରଭାବପୂର୍ଣ୍ଣ ଓ ରୋଗୀକେନ୍ଦ୍ରିକ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିବାରେ ଫାର୍ମାସିଷ୍ଟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ) ପକ୍ଷରୁ ଶୁକ୍ରବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଫାର୍ମାଭାନ୍ଟେଜ୍ ୨୦୨୬’ ଆୟୋଜିତ ହୋଇଯାଇଛି ।
“ସୁସ୍ଥ ଭବିଷ୍ୟତ ପାଇଁ ଫାର୍ମାସିଷ୍ଟ ମାନଙ୍କୁ ସଶକ୍ତ କରିବା” ବିଷୟବସ୍ତୁକୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ଓ ହସ୍ପିଟାଲର ବିଭିନ୍ନ ବିଭାଗର କର୍ମଚାରୀମାନେ ଯୋଗଦେଇଥିଲେ ।
ଏହି ଅବସରରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଏବଂ ମେଡିକାଲ ସୁପରିନ୍ଟେଣ୍ଡଂଟ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା ଉପସ୍ଥିତ ରହି ଫାର୍ମାସିଷ୍ଟ ମାନଙ୍କ ବଦଳୁଥିବା ଦାୟିତ୍ୱ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନରେ ସେମାନଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ ।
ସ୍ୱାଗତ ଭାଷଣରେ ଫାର୍ମାସି ବିଭାଗର ମୁଖ୍ୟ ଶ୍ରୀ ଦିଲ୍ଲୀପ କୁମାର ଦାସମହାପାତ୍ର କହିଥିଲେ ଯେ ଫାର୍ମାସିଷ୍ଟ ମାନଙ୍କ ଭୂମିକା କେବଳ ଔଷଧ ବଂଟନରେ ସୀମିତ ନୁହେଁ । ଔଷଧ ସୁରକ୍ଷା ସୁନିଶ୍ଚିତ କରିବା, ଔଷଧର ଯୁକ୍ତିସଙ୍ଗତ ବ୍ୟବହାରକୁ ପ୍ରୋତ୍ସାହନ ଦେବା, ରୋଗୀଙ୍କୁ ପରାମର୍ଶ ଦେବା ଓ ଉତମ ଚିକିତ୍ସା ଫଳାଫଳ ପାଇଁ ସହଯୋଗ କରିବା ମଧ୍ୟ ସେମାନଙ୍କ ଦାୟିତ୍ୱ ।
ଏହି ଅବସରରେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା-ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏକ ବାର୍ତା ଦେଇ କହିଥିଲେ ଯେ ଚିକିତ୍ସା ବିଷୟକ ଜ୍ଞାନ ଓ ଏହାର ନିରାପଦ ଏବଂ ପ୍ରଭାବଶାଳୀ ପ୍ରୟୋଗ ମଧ୍ୟରେ ଫାର୍ମାସିଷ୍ଟମାନେ ଏକ ଅତ୍ୟାବଶ୍ୟକ ସେତୁ ଭାବେ କାର୍ଯ୍ୟ କରିଥାନ୍ତି । ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ଜ୍ଞାନ, ପ୍ରଯୁକ୍ତି ଓ ପେସାଗତ ବିକାଶର ସୁଯୋଗ ମାଧ୍ୟମରେ ଫାର୍ମାସିଷ୍ଟ ମାନଙ୍କୁ ସଶକ୍ତ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ନାୟକ କହିଥିଲେ ।
ସମ୍ ଅଲ୍ଟିମେଟ୍ ମେଡିକେୟାରର ଚିଫ୍ ଏଗ୍ଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ତାଙ୍କ ବାର୍ତାରେ ରୋଗୀସେବା ପ୍ରତି ଫାର୍ମାସିଷ୍ଟ ମାନଙ୍କ ନିଷ୍ଠାକୁ ପ୍ରଶଂସା କରି ସେମାନଙ୍କୁ ବହୁବିଭାଗୀୟ ସ୍ୱାସ୍ଥ୍ୟସେବା ଦଳର ଅବିଚ୍ଛିନ୍ନ ଅଂଶ ବୋଲି ବର୍ଣ୍ଣନା କରିଥିଲେ । ରୋଗୀମାନଙ୍କୁ ସଠିକ୍ ଔଷଧ, ସଠିକ୍ ପ୍ରକ୍ରିୟାରେ ଓ ସଠିକ୍ ସମୟରେ ପହଂଚାଇବା ସୁନିଶ୍ଚିତ କରିବାରେ ସେମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।
ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ରୋଗୀସେବା ଓ ସଂଗଠନ ପ୍ରତି ନିଷ୍ଠାପୂର୍ଣ୍ଣ ସେବା ଏବଂ ମୂଲ୍ୟବାନ ଅବଦାନ ପାଇଁ ଫାର୍ମାସିଷ୍ଟ ଓ ଅନ୍ୟ ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା ।
କ୍ଲିନିକାଲ ଫାର୍ମାକୋଲୋଜି ବିଭାଗର ମୁଖ୍ୟ ଡାକ୍ତର ସନ୍ତୋଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ଅତିଥି, ପରିଚାଳନା କର୍ତୃପକ୍ଷ, ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ଓ ଅଂଶଗ୍ରହଣକାରୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ ।
ସମ୍ ଅଲ୍ଟିମେଟ୍ ମେଡିକେୟାରରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳନ ଆଧୁନିକ ସ୍ୱାସ୍ଥ୍ୟସେବାରେ ଫାର୍ମାସିଷ୍ଟମାନଙ୍କ ବୃଦ୍ଧି ପାଉଥିବା ଗୁରୁତ୍ୱକୁ ଉଜାଗର କରିଥିଲା । ଏକ ଅଧିକ ନିରାପଦ, ସୁଦୃଢ଼ ଓ ସୁସ୍ଥ ଭବିଷ୍ୟତ ଗଠନରେ ସେମାନଙ୍କ ଅବଦାନକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ସଶକ୍ତିକରଣର ଆବଶ୍ୟକତା ମଧ୍ୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଫଳିତ ହୋଇଥିଲା ।