ଘରେ ଗୃହ ପାଳିତ ପଶୁ ରଖିଲେ ଅନୁମତି ବାଧ୍ୟତାମୂଳକ : ବିଏମସି

ଭୁବନେଶ୍ୱର : ଭୁବନେଶ୍ୱରରେ ପୋଷା କୁକୁର କାମୁଡିବା ଘଟଣା। ମାମଲା ହାଇକୋର୍ଟକୁ ଗଲାପରେ ଆକ୍ସନ ମୋଡରେ ବିଏମସି । ଏଣିକି ଗୃହପାଳିତ ପଶୁ ରଖିବାକୁ ହେଲେ ବିଏମସିରୁ ନେବାକୁ ପଡିବ ଅନୁମତି । ଆସନ୍ତା ସପ୍ତାହରୁ ଏହି ନିୟମ ଲାଗୁ ହେବାକୁ ଯାଉଛି I

ସୂଚନାନୁସାରେ ଭୁବନେଶ୍ୱର ଇନ୍‌ଫୋସିଟି ଥାନା ତପସ୍ୱିନୀ କଲୋନୀରେ ୮ ବର୍ଷର ଶିଶୁକୁ ପୋଷା କୁକୁର ସିଜର କାମୁଡିବା ଘଟଣାକୁ ନେଇ ହୋଇଥିଲା ତୁମୁଳକାଣ୍ଡ। ଗତ ନଭେମ୍ବର ୬ ତାରିଖରେ ଜଣେ ୮ ବର୍ଷର ପିଲା ସାଇକେଲ ଚଳାଉଥିଲା। ଠିକ୍‌ ସେହି ସମୟରେ ଜଣଙ୍କ ବିଦେଶୀ ପୋଷା କୁକୁର ତାଙ୍କୁ ଆକ୍ରମଣ କରିଥିଲା। ପିଲାକୁ କାମୁଡି ରକ୍ତାକ୍ତ କରିଦେଇଥିଲା। କୁକୁର ଆକ୍ରମଣରେ ଗୁରୁତର ଅସୁସ୍ଥ ଥିବା ପିଲାଟି ଏବେ ଆଇସିୟୁରେ ରହିଛି। ଏହାକୁ ନେଇ କଲୋନୀରେ ଉତ୍ତେଜନା ପ୍ରକାଶ ପାଇଥିଲା। କଥା ଥାନାରେ ପହଞ୍ଚିଥିଲା। ଉକ୍ତ କୁକୁରକୁ କଲୋନୀରୁ ବିଦା କରିବା ପାଇଁ ଲୋକେ ଦାବି କରିଥିଲେ।

ସେପଟେ କୁକୁରର ମାଲିକାଣି ଶ୍ରାବଣୀ ପଟ୍ଟନାୟକ ତାଙ୍କ ବିରୁଦ୍ଧରେ ଓ ତାଙ୍କ ପୋଷା କୁକୁର ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଆବେଦନ। ଇନଫୋସିଟି ଥାନା ଆଇଆଇସି ଘଟଣାର ସଠିକ ତଦନ୍ତ କରିବାକୁ ପ୍ରାର୍ଥନା। ମାମଲାରେ ଗୃହ ସଚିବ, ପୋଲିସ ଡିଜି, ପୋଲିସ କମିଶନର, ଡିସିପି ଭୁବନେଶ୍ୱର ଓ ଇନଫୋସିଟି ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ।

ଏହାକୁ ଦୃଷ୍ଟିରେ ରଖି ରାଜଧାନୀବାସୀଙ୍କ ପାଇଁ ବିଏମ୍ସି ଆବିବାକୁ ଯାଉଛି ନୂଆ ନିୟମ I ବିଦେଶୀ କୁକୁର ପାଳନରେ ଲାଗିବ କଟକଣା। ରାଜଧାନୀରେ କେବଳ ୬ ପ୍ରଜାତିର ବିଦେଶି କୁକୁର ପାଳନ ପାଇଁ ଅନୁମତି ଦିଆଯିବ । ଅନ୍ୟ ରାଜ୍ୟ ଓ ଦେଶ ଗୁଡିକରେ ବ୍ୟାନ୍‌ ଥିବା କୁକୁର ପ୍ରଜାତିକୁ ରାଜଧାନୀରେ ପାଳନ ପାଇଁ ଅନୁମତି ଦିଆଯିବ ନାହିଁ ।ଯେଉଁ ବିଦେଶୀ କୁକୁର ସହରରେ ରହିବ, ତାର ସମସ୍ତ ତଥ୍ୟ ବିଏମସି ନିକଟରେ ଦାଖଲ କରିବାକୁ ପଡିବ।

ଏପରିକି ପୋଷା କୁକୁର ରଖିବା ପାଇଁ ପଞ୍ଜୀକରଣଠାରୁ ନେଇ କୁକୁରଙ୍କ ମଳତ୍ୟାଗ, ସେମାନଙ୍କୁ ବାହାରେ ବୁଲାଇବା ପାଇଁ ଆବଶ୍ୟକ ନିୟମ ଧାର୍ଯ୍ୟ କରାଯିବ । କୁକୁରଙ୍କୁ ନିୟମିତ ଟିକାକରଣ ସହ ସେମାନଙ୍କ ଖାଦ୍ୟପେୟ ଓ ସ୍ୱାସ୍ଥ୍ୟଗତ ଦିଗକୁ ମଧ୍ୟ ବିଚାରକୁ ନେଇ ଗାଇଡଲାଇନ୍‌ରେ ବ୍ୟବସ୍ଥା ରହିବ । କେଉଁ କେଉଁ ସର୍ବସାଧାରଣ ସ୍ଥାନକୁ ପୋଷା କୁକୁରଙ୍କୁ ନେଇହେବ ଓ ଏଥିପାଇଁ କ’ଣ ସହୁ ନିୟମ ରହିବ ତାହା ବି ଏସ୍‌ଓପିରେ ରଖାଯିବ ।