ପୋଲିସ ସାମ୍ନାରେ ଆଇନକୁ ହାତକୁ ନେଲେ ଲୋକେ; ରିକ୍ରିଏସନ୍ ବେଳେ ଅଭିଯୁକ୍ତକୁ ନିସ୍ତୁକ ମାଡ଼

ଭୁବନେଶ୍ବର: ପୁରୀ ନୂଆନଈ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କ୍ରାଇମ୍ ସିନ୍ ରିକ୍ରିଏସନ୍ ବେଳେ ଉତ୍ତ୍ୟକ୍ତ ଲୋକେ ଆଇନକୁ ହାତକୁ ନେବା ସହ ପୋଲିସ ଉପସ୍ଥିତିରେ ଅଭିଯୁକ୍ତକୁ ନିସ୍ତୁକ ମାଡ଼ ମାରିଛନ୍ତି। ସୂଚନା ଅନୁଯାୟୀ, ଗତ ରବିବାର ଏକ ହତ୍ୟା ମାମଲାର କ୍ରାଇମ୍ ସିନ୍ ରିକ୍ରିଏସନ୍ ପାଇଁ ଗଡ଼ିଶାଗୋଦା ଥାନା ପୋଲିସ ଅଭିଯୁକ୍ତକୁ ନୂଆନଈ ସ୍ପଟ୍‌କୁ ନେଇଥିଲା। ସିନ୍ ରିକ୍ରିଏସନ୍ ସରିବା ପରେ ପୋଲିସ ଅଭିଯୁକ୍ତକୁ ଫେରାଇ ନେଉଥିବା ସମୟରେ ପୂର୍ବରୁ ଓତ ପତି ରହିଥିବା ମୃତକଙ୍କ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ପୋଲିସ କର୍ଡନ ଭାଙ୍ଗି ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତକୁ ନିର୍ଦ୍ଧୁମ ପିଟିଥିଲେ। ଘଟଣାସ୍ଥଳରେ ଏକାଧିକ ଲୋକ ରୁଣ୍ଡ ହୋଇଥିବାରୁ ଅଭିଯୁକ୍ତକୁ ସୁରକ୍ଷା ଦେବା ପାଇଁ ପୋଲିସକୁ ବେଶ୍ ନାକେଦମ୍ ହେବାକୁ ପଡ଼ିଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ପାଇଁ ଅଭିଯୁକ୍ତର ଜୀବନ ବଞ୍ଚାଇବା ଏକ ବଡ଼ ଆହ୍ୱାନ ପାଲଟିଥିଲା। ତେବେ ଅତି କଷ୍ଟରେ ପୋଲିସ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଅଭିଯୁକ୍ତକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଥାନାକୁ ନେବାରେ ସଫଳ ହୋଇଛି।