ଓଡ଼ିଶାବାସୀ ଚାହୁଁଛନ୍ତି ବିଜେପି ଆସୁ: ଓମ୍‌ ବିର୍ଲା

ବାଲେଶ୍ୱର: ଘନ ଘନ ନିର୍ବାଚନୀ ପ୍ରଚାର ମଧ୍ୟରେ ରାଜ୍ୟ ଗସ୍ତ କରିବାରେ ଲାଗିଛନ୍ତି ଭାରତୀୟ ଜନତା ପାର୍ଟିର ବହୁ କେନ୍ଦ୍ରୀୟ ହେଭିଓ୍ବେଟ । ଲୋକସଭା ବାଚସ୍ପତି ଓମ ବିର୍ଲା ବାଲେଶ୍ୱରରେ ପହଞ୍ଚିଛନ୍ତି ।ଏଠାରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଓଡ଼ିଶାରେ ବିଜେପି ଆସୁ ବୋଲି ଓଡ଼ିଶାବାସୀ ଚାହୁଁଛନ୍ତି । ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି, ବିଜେପି ଆସୁ ଚାହୁଁଛନ୍ତି। ୨୫ ବର୍ଷ ସରକାରରେ ଗରିବଙ୍କ ପାଇଁ କିଛି କରିପାରି ନାହାନ୍ତି। ଓଡ଼ିଶାରେ ପୂର୍ଣ୍ଣରୂପରେ ସବୁ ଲୋକସଭା ଜିତିବ ବିଜେପି ବୋଲି ପ୍ରତିକ୍ରିୟା ଦେଇଛନ୍ତି ଓମ୍ ବିର୍ଲା।

ସୂଚନା ଅନୁସାରେ ଗତକାଲି (ମଙ୍ଗଳବାର) ସଂଧ୍ୟାରେ ଓମ ବିର୍ଲା ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ । ଓଡ଼ିଶାକୁ ପ୍ରଶଂସା କରିବା ସହ ରାଜ୍ୟରେ ଏଥର ପରିବର୍ତ୍ତନ ହେବ ବୋଲି କହିଥିଲେ । ଦୁଇ ଜାଗାରେ ଗୋଟିଏ ସରକାର ହେଲେ ବିକାଶର ନୂଆ ଧାରା ହେବ । ନବୀନ ସରକାରଙ୍କୁ ଲୋକେ ଦେଖିଛନ୍ତି । ଏବେ ବିଜେପି ସରକାର ଦେଖିବେ । ଆଗାମୀ ଦିନରେ ଓଡ଼ିଶାରେ ବିକାଶର ପ୍ରବଳ ସମ୍ଭାବନା ରହିଛି । ଦେଶବାସୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଚନ୍ତି । ଓଡିଶା ସଂସ୍କୃତି, ଆଧ୍ୟାତ୍ମିକତା ଓ ଜଗନ୍ନାଥଙ୍କ ଭୂମି । ଓଡ଼ିଶାର ଲୋକେ ବେଶ ପରିଶ୍ରମୀ । ସମଗ୍ର ବିଶ୍ବରେ ଓଡ଼ିଶାର କଳାର ପରିଚୟ ରହିଛି । ଦେଶର ଜନତା ନିଷ୍ପତ୍ତି ନେଇଛନ୍ତି ତୃତୀୟ ଥର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବେ।

ଅନ୍ୟପଟେ ଆଜି ବିଜେପିର ଅନ୍ୟ ଦୁଇ ଟପ୍ କେନ୍ଦ୍ରୀୟ ନେତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପାର୍ଟି ମୁଖ୍ୟ ଜେ.ପି ନଡ୍ଡା ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଗଞ୍ଜାମ ଜିଲ୍ଲାର କେଶରୀପାଟଣାରେ ବିଜେପିର ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଶାହ। ସନ୍ଧ୍ୟାରେ କଟକରେ ବିଶାଳ ରୋଡ ସୋ କରିବେ ଅମିତ ଶାହ। ଏହି ରୋଡ୍ ସୋ କଟକ ଗୋପବନ୍ଧୁ ଛକରୁ ଆରମ୍ଭ ହୋଇ ବାଲୁ ବଜାର ଯାଏ ଚାଲିବ। ସନ୍ଧ୍ୟା ୫ଟା ୫୦ରୁ ୬ଟା ୪୦ ଯାଏ ରୋଡ୍ ସୋ କରିବେ। ରାତି ସାଢ଼େ ୭ଟାରେ ଦିଲ୍ଲୀ ଅଭିମୁଖେ ଫେରିଯିବେ ଅମିତ ଶାହ।