ଭୁବନେଶ୍ୱର: ଆଧାର ସହ ବ୍ୟାଙ୍କ ଖାତା ଲିଙ୍କ୍ ନଥିଲେ ଅଟକିଯାଇପାରେ ସାମାଜିକ ସୁରକ୍ଷା ପେନସନ୍ । ଏନେଇ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ ପାଇଁ ଜିଲ୍ଲାପାଳଙ୍କୁ ହୋଇଛି ନିର୍ଦ୍ଦେଶ। ବର୍ତ୍ତମାନ ରାଜ୍ୟରେ ୩ ଲକ୍ଷ ୩୫ ହଜାର ୮୫୦ ଜଣ ପେନସନଭୋଗୀଙ୍କ ଆଧାର ନମ୍ବର ବ୍ୟାଙ୍କ ଖାତା ସହ ମ୍ୟାପିଂ ହୋଇନଥିବା ତଥ୍ୟରୁ ଜଣାପଡିଛି | ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନକୁ ଜାରି କରିଥିବା ଚିଠିରେ ସ୍ପଷ୍ଟ କରିଛନ୍ତି ଯେ, ୨୦୨୬-୨୭ ଆର୍ଥିକ ବର୍ଷରୁ National Social Assistance Programme (NSAP) ଅନ୍ତର୍ଗତ ପେନସନ୍ ଅର୍ଥ SNA-SPARSH ପ୍ଲାଟଫର୍ମ ମାଧ୍ୟମରେ ଆଧାର ଭିତ୍ତିକ ପେମେଣ୍ଟ ମୋଡରେ ପ୍ରଦାନ କରାଯାଉଛି। କିନ୍ତୁ ନୂତନ ବ୍ୟବସ୍ଥାରେ ଅନେକ ହିତାଧିକାରୀଙ୍କ ଆଧାର ସଂଖ୍ୟା ବ୍ୟାଙ୍କ ଖାତା ସହ ଲିଙ୍କ୍ ହୋଇନାହିଁ । ସରକାରୀ ତଥ୍ୟ ଅନୁସାରେ ଏପରି ହିତାଧିକାରୀଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୮୫୦ରେ ପହଞ୍ଚିଛି । ଫଳରେ ଆଗାମୀ ଦିନରେ ଆକାଉଣ୍ଟ ପେମେଣ୍ଟ ବ୍ୟବସ୍ଥା ବନ୍ଦ ହୋଇପାରେ । ଏହି ହିତାଧିକାରୀମାନଙ୍କ ମଧ୍ୟରୁ ଅନେକେ ଶଯ୍ୟାଶାୟୀ, ବୃଦ୍ଧ କିମ୍ବା ଅସୁସ୍ଥ ଥିବାରୁ ବ୍ୟାଙ୍କକୁ ଯାଇ ଆଧାର ଅପଡେଟ୍ କରିବା ସେମାନଙ୍କ ପାଇଁ ସମ୍ଭବ ହେଉନାହିଁ । ସେଥିପାଇଁ ଜିଲ୍ଲା ପ୍ରଶାସନକୁ ଘରେ ଘରେ ଯାଇ ଏଭଳି ହିତାଧିକାରୀଙ୍କୁ ଚିହ୍ନଟ କରିବା ସହ ଆଧାର ସିଡିଂ ଓ e-KYC ପ୍ରକ୍ରିୟା ଶୀଘ୍ର ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀମାନଙ୍କୁ NSAP-PPS ପୋର୍ଟାଲ୍ ବ୍ୟବହାର କରି ଏହି ହିତାଧିକାରୀମାନଙ୍କ ତାଲିକା ପ୍ରସ୍ତୁତ କରିବା ସହ ବ୍ଲକ୍ ସ୍ତରର ଆଧାର ଅପରେଟରମାନଙ୍କ ସହଯୋଗରେ ଲିଙ୍କିଂ କାର୍ଯ୍ୟ ସମ୍ପନ୍ନ କରିବାକୁ କୁହାଯାଇଛି ।