ପାଭୋ ନୁର୍ମି ଗେମ୍ସରୁ ଓହରିଲେ ନୀରଜ

ନୂଆଦିଲ୍ଲୀ : ଆସନ୍ତା ୧୩ରୁ ଫିନ୍‌ଲାଣ୍ଡ୍‌ରେ ଅନୁଷ୍ଠିତ ହେବାକୁ ଥିବା ପାଭୋ ନୁର୍ମି ଗେମ୍ସ-୨୦୨୩ରୁ ଓହରିଯାଇଛନ୍ତି ଭାରତର ତାରକା ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା । ଏହି ପ୍ରତିଯୋଗିତାଟି ଗତ ୧୯୫୭ଠାରୁ ତୁର୍କୁଠାରେ ଅନୁଷ୍ଠିତ ହୋଇଆସୁଥିବା ବେଳେ ଏହା ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ଗୋଲ୍ଡ ଇଭେଣ୍ଟ୍‌ର ସ୍ୱୀକୃତି ମଧ୍ୟ ପାଇଛି । ଗତ ବର୍ଷ ଏହି ପ୍ରତିଯୋଗିତାରେ ନୀରଜ ୮୯.୩୦ ମିଟର ଦୂରତା ହାସଲ ପୂର୍ବକ ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିବା ସହ ରୌପ୍ୟ ପଦକ ପାଇଥିଲେ ।

କିନ୍ତୁ ଆଘାତଜନିତ କାରଣରୁ ସେ ଚଳିତ ବର୍ଷର ଏହି ଇଭେଣ୍ଟ୍‌ରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ନୀରଜ ନେଦରଲାଣ୍ଡ୍‌ସରେ ହେବାକୁ ଥିବା ଏଫ୍‌ବିକେ ଗେମ୍ସରୁ ମଧ୍ୟ ମାଂସପେଶୀ ଟାଣିହେବା ସମସ୍ୟା କାରଣରୁ ଓହରିଯିବାକୁ ଗତ ମାସରେ ଘୋଷଣା କରିଥିଲେ । ଗତ ବର୍ଷ ସେପ୍ଟେମ୍ବରରେ ଓରେଗୋନ୍‌ର ଇଉଜେନ୍‌ଠାରେ ଅନୁଷ୍ଠିତ ଡାଇମଣ୍ଡ୍ ଲିଗ୍ ୨୦୨୨ ଫାଇନାଲ୍ସ ପରଠାରୁ ପାଖାପାଖି ୮ ମାସ ହେଲା ନୀରଜ ଆଘାତଜନିତ କାରଣରୁ ଏକାଧିକ ପ୍ରମୁଖ ଅନ୍ତର୍ଜାତୀୟ ଇଭେଣ୍ଟ୍‌ରେ ଅଂଶଗ୍ରହଣ କରିପାରିନାହାନ୍ତି ।

ଅବଶ୍ୟ ଆଘାତଜନିତ ସମସ୍ୟାରୁ ମୁକୁଳିବା ପରେ ସେ ଗତ ମେ’ ୫ ତାରିଖରେ କତାର ସ୍ପୋର୍ଟ୍ସ କ୍ଲବ୍‌ଠାରେ ଅନୁଷ୍ଠିତ ଦୋହା ଡାଇମଣ୍ଡ୍ ଲିଗ୍‌ରେ ଅଂଶଗ୍ରହଣ କରିବା ସହ ୮୮.୬୭ ମିଟର ଦୂରତା ହାସଲ କରି ଚାମ୍ପିଅନ୍ ହୋଇଥିଲେ । କିନ୍ତୁ ପୁନର୍ବାର ଆଘାତ କାରଣରୁ ସେ ଏଫ୍‌ବିକେ ଗେମ୍ସ ଓ ପାଭୋ ନୁର୍ମି ଗେମ୍ସ ସହ ଚଳିତ ବର୍ଷର ଜାତୀୟ ଆନ୍ତଃରାଜ୍ୟ ସିନିଅର୍ ଆଥଲେଟିକ୍ସ ଚାମ୍ପିଅନ୍‌ଶିପ୍‌ରେ ମଧ୍ୟ ଅଂଶଗ୍ରହଣ କରିବେ ନାହିଁ ବୋଲି ଜଣାପଡ଼ିଛି ।

ତେବେ ଜୁନ୍ ୨୭ରେ ଚେକ୍ ଗଣରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ଗୋଲ୍‌ଡେନ୍ ସ୍ପାଇକ୍ ଓଷ୍ଟ୍ରାଭାରେ ନୀରଜ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି । ତା’ଛଡ଼ା ଆସନ୍ତା ଅଗଷ୍ଟରେ ହେବାକୁ ଥିବା ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍‌ଶିପ୍ ଓ ସେପ୍ଟେମ୍ବରର ଏସିଆନ୍ ଗେମ୍ସରେ ଭାଗ ନେବା ନେଇ ନୀରଜ ଆଶାବାଦୀ ଅଛନ୍ତି । ନୀରଜଙ୍କ ବ୍ୟତୀତ ପାଭୋ ନୁର୍ମି ଗେମ୍ସରେ ପୂର୍ବତନ ବିଶ୍ୱ ଚାମ୍ପିଅନ୍ ଜର୍ମାନୀର ଜୋହାନେସ୍ ଭେଟ୍ଟର୍ ମଧ୍ୟ ଅଂଶଗ୍ରହଣ କରିବେ ନାହିଁ ।