ଓଡ଼ିଶାର ସଙ୍ଗମ କୁମାର ସାହୁ ହେବେ ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି

କଟକ: ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍ ଓଡିଶା ହାଇକୋର୍ଟ ବିଚାରପତି ସଙ୍ଗମ କୁମାର ସାହୁଙ୍କ ନାମ ସୁପାରିଶ କରିଛି । ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଗଠିତ କଲେଜିୟମ୍ ଦେଶର ବିଭିନ୍ନ ହାଇକୋର୍ଟରେ ଖାଲି ପଡ଼ିବାକୁ ଥିବା ପାଞ୍ଚ ଜଣ ମୁଖ୍ୟ ବିଚାରପତି ପଦ ପାଇଁ ନାମ ସୁପାରିଶ କରିଛି, ସେଥିମଧ୍ୟରେ ଜଷ୍ଟିସ୍ ସାହୁଙ୍କ ନାମ ରହିଛି।
ଓଡ଼ିଶା ରାଜ୍ୟ ବାର୍‌ କାଉନସିଲରେ ଜଷ୍ଟିସ୍ ସାହୁ ୧୯୮୯ ମସିହାରେ ଆଇନଜୀବୀ ଭାବେ ନାମ ଲେଖାଇଥିଲେ ଏବଂ ଅପରାଧିକ ତଥା ସେବା ଆଇନରେ ତାଙ୍କର ବିଶେଷଜ୍ଞତା ରହିଛି। ସେ ଜୁଲାଇ ୨୦୧୪ ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଉନ୍ନୀତ ହୋଇଥିଲେ। ସେ ବର୍ତ୍ତମାନ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ଜଷ୍ଟିସ୍ ସଙ୍ଗମ କୁମାର ସାହୁଙ୍କ ବ୍ୟତୀତ ଅନ୍ୟ ଯେଉଁ ବିଚାରପତିମାନଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି, ସେମାନେ ହେଲେ, ଆହ୍ଲାବାଦ ହାଇକୋର୍ଟର ବିଚାରପତି ମନୋଜ କୁମାର ଗୁପ୍ତାଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ପଦକୁ ପ​ଦୋନ୍ନତି ଦିଆଯାଇଥିବା ବେଳେ ବମ୍ବେ ହାଇକୋର୍ଟର ଶ୍ରୀମତୀ ରେବତୀ ପି. ମୋହତୀ ଦୀରେଙ୍କୁ ମେଘାଳୟ ମୁଖ୍ୟ ବିଚାରପତି, ବମ୍ବେ ହାଇକୋର୍ଟର ଅନ୍ୟତମ ବିଚାରପତି ଏମ୍‌‌.ଏସ୍‌‌. ସୋନକଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି, କେରଳ ହାଇକୋର୍ଟର ବିଚାରପତି ଏ. ମହମ୍ମଦ ମୁସ୍ତାକଙ୍କୁ ସିକ୍କିମ୍‌‌ ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ସୁପାରିସ କରାଯାଇଛି।