ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭ ଦଳାଚକଟା ଘଟଣାରେ ପୋଲିସ ପ୍ରଶାସନ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନେଇ ସତର୍କ ହୋଇଯାଇଛି । ଏଭଳି ଘଟଣାର ପୁନରାବୃତ୍ତି ନ ହେଉ ସେଥିପାଇଁ ମେଳାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ସ୍ତରରେ ପରିବର୍ତ୍ତନ କରାଯାଇଛି । ଯେଉଁଥି ପାଇଁ ଏବେ ପ୍ରବେଶ କରୁଥିବା ରାସ୍ତାରେ ସିଭିଲ ପୋଲିସ ସହିତ ପାରାମିଲିଟାରୀ ଫୋର୍ସ ଯବାନ ନିୟୋଜିତ ରହିବେ । ରିପୋର୍ଟ ମୁତାବକ, ଶ୍ରଦ୍ଧାଳୁ ଆସିବା ଏବଂ ସ୍ନାନ ପରେ ଯିବାକୁ ୱାନୱେ ବ୍ୟବସ୍ଥା କରାଯାଇଛି । ଭିଡି ଅଞ୍ଚଳରେ ବ୍ୟାରିକେଡିଂକୁ ମଜବୁତ କରାଯାଇଛି । ଗୋଟିଏ ସ୍ଥାନ ଭିଡ଼ ଏକାଠି ନ ହେଉ ସେଥିପାଇଁ ଡାଇଭର୍ସନ କରାଯାଇଛି । ମୌନୀ ଅମାବାସ୍ୟା ପରେ ବସନ୍ତ ପଞ୍ଚମୀ ଦିନ ତୃତୀୟ ଅମୃତ ସ୍ନାନ କରାଯିବ । ଏହି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ଆଗମନ ଆଶା କରାଯାଉଛି । ଏହାକୁ ନଜରରେ ରଖି ମେଳା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ମହାକୁମ୍ଭ ମେଳା ଆରମ୍ଭ ହେବାକୁ ନେଇ ସଙ୍ଗମ ସ୍ଥଳ ଯିବା ପାଇଁ କାଳୀ ମାର୍ଗ ପ୍ରସ୍ତୁତ କରାଯାଇଛି । ଶ୍ରଦ୍ଧାଳୁ ଏବେ ମାର୍ଗ ଦେଇ ପ୍ରବେଶ କରିବେ ଏବଂ ତ୍ରିବେଣୀ ମାର୍ଗ ଦେଇ ମେଳାରୁ ବାହାରିବେ । ଦଳାଚକଟା ଦିନ ଶ୍ରଦ୍ଧାଳୁଙ୍କ ଭିଡ଼ କାଳୀ ମାର୍ଗ ଛାଡି ଅନ୍ୟ ରାସ୍ତାରେ ପ୍ରବେଶ କରିଥିଲେ । ଫଳରେ ଅମୃତ ସ୍ନାନ ପୂର୍ବରୁ ସବୁ ରାସ୍ତାରେ ଲୋକ ଯିବାକୁ ଲାଗିଥିଲେ । ଫଳରେ ସଙ୍ଗମ ନୋଜକୁ ଅଧିକ ଭିଡ଼ ଜମିଥିଲା, ଆଉ ବ୍ୟାରିକେଡ୍ ଭାଙ୍ଗିଥିଲା। ତେଣୁ ବସନ୍ତ ପଞ୍ଚମୀ ଅବସରରେ ହେବାକୁ ଥିବା ଭିଡ଼ ଯୋଗୁଁ ଶ୍ରଦ୍ଧାଳୁଙ୍କ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ପ୍ରବେଶ କରୁଥିବା ରାସ୍ତାରେ ପାରାମିଲିଟାରୀ ଫୋର୍ସ ଯବାନ ନିୟୋଜିତ କରାଯାଇଛି । ଏହାସହିତ କାଳୀ ଏବଂ ତ୍ରିବେଣୀ ମାର୍ଗ ଛଡା ସଙ୍ଗମ ଅଞ୍ଚଳରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଆଗକୁ କିଛି ଏଭଳି ସ୍ଥିତି ନ ଉପୁଜୁ, ସେଥିପାଇଁ ସ୍ନାନ ଘାଟରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ, ପ୍ରୟାଗରାଜ ମହାକୁମ୍ଭରେ ହୋଇଥିବା ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ୫୦ରୁ ଅଧିକ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୌଣସି ପ୍ରକାର ବିଶେଷ ପାସ ଆଉ କୁମ୍ଭମେଳାରେ କାମ କରିବ ନାହିଁ । ସେହିପରି ମେଳା ପରିସରକୁ ନୋ-ଭେହିକିଲ ଜୋନ ଘୋଷଣା କରାଯାଇଛି । କୌଣସି ପ୍ରକାର ଗାଡି ମେଳା କ୍ଷେତ୍ର ମଧ୍ୟକୁ ପ୍ରବେଶ କରିପାରିବ ନାହିଁ । ପ୍ରୟାଗରାଜରେ ୱାନ ୱେ ମାର୍ଗ ବ୍ୟବସ୍ଥା ଲାଗୁ କରାଯାଇଛି । ୪ ଫେବ୍ରୁଆରୀ ପର୍ଯ୍ୟନ୍ତ ସହରରେ ୪ ଚକିଆ ଯାନର ଏଣ୍ଟ୍ରି ସମ୍ପୂର୍ଣ୍ଣ ନିଷେଧ ।