ଭୁବନେଶ୍ୱର: ପାର୍ବଣ ଋତୁରେ ଅଶାନ୍ତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଧଉଳି ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ବରବର ଆକ୍ରମଣ କରାଯାଇଛି। ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିବା ଯୁବକ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ରଜନୀକାନ୍ତ ନାୟକ। ସେ ପେସାରେ ଜଣେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରଜନୀକାନ୍ତ ଧଉଳି ପାଦଦେଶରେ ବସିଥିବା ବେଳେ ହଠାତ୍ ୬ଟି ଗାଡ଼ିରେ ୨୦ରୁ ଅଧିକ ଦୁର୍ବୃତ୍ତ ଆସି ତାଙ୍କୁ ଘେରି ଯାଇଥିଲେ। କିଛି ବୁଝିବା ପୂର୍ବରୁ ହିଁ ସେମାନେ ରଜନୀକାନ୍ତଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏହି ରକ୍ତାକ୍ତ ଆକ୍ରମଣରେ ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଅପରପକ୍ଷରେ ଖବର ପାଇ ଧଉଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ଗୁଡ଼ିକୁ ଯାଞ୍ଚ କରୁଛି।