ପାଣ୍ଡିଆନକୁ ମୁଖ୍ୟମନ୍ତ୍ରୀ କରିବେ ବିଜେଡି ବିଜେପି: କଂଗ୍ରେସ ନେତା

ବଲାଙ୍ଗୀର: ରାଜ୍ୟରେ ଦୁଇ ପ୍ରମୁଖ ବିରୋଧୀ ବିଜେଡି ଓ ବିଜେପି ମଧ୍ୟରେ ଥିବା ଭିତିରି ସମ୍ପର୍କକୁ ଆଖି ଆଗରେ ରଖି ଜଣେ କଂଗ୍ରେସ ନେତା ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ଉଭୟ ଦଳ ହାତ ମିଳାଇଛନ୍ତି, ସେମାନଙ୍କ ଲକ୍ଷ୍ୟ କିଭଳି ଭି,କେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହେବେ। ଏଥିପାଇଁ ଦୁଇ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ବଲାଙ୍ଗୀର ଜିଲ୍ଲା କଂଗ୍ରେସ ସଭାପତି ଦିଲ୍ଲୀପ ବେହେରା କହିଛନ୍ତି, ରାଜ୍ୟରେ ଅନେକ ଦକ୍ଷ ଆଇଏଏସ୍ ଅଫିସର ଥିବାବେଳେ ପାଣ୍ଡିଆନଙ୍କୁ କାହିଁକି 5-ଟି ଓ ମୋ ଓଡ଼ିଶା ନବୀନ ଓଡ଼ିଶା ପ୍ରକଳ୍ପର ଅଧ୍ୟକ୍ଷ କରାଗଲା। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଉଭୟ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ହାତ ମିଳାଇ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି, ଭିଆରଏସ୍ ନେବା ପୂର୍ବରୁ ମଧ୍ୟ ପାଣ୍ଡିଆନ ଶାସକ ବିଜେଡିର ସଭାପତି ଭଳି କାମ କରୁଥିଲେ। ସ୍ୱେଚ୍ଛାକୃତ ଅବସର ନେବା ପରେ ସେ 5-ଟି ଅଧ୍ୟକ୍ଷ ଭାବେ ଯୋଗ ଦେଇ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି।

ଏହାର ଜବାବରେ ବଲାଙ୍ଗୀର ବିଜେଡି କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି କହିଛନ୍ତି ଯେ, ଏହା ଏକ ମିଥ୍ୟା ଅଭିଯୋଗ। ପାଣ୍ଡିଆନ ବାବୁ 5-ଟି ସଚିବ ଥିବା ବେଳେ ଓଡିଆ ଲୋକଙ୍କ ସେବା କରିଥିଲେ। ଚାକିରିରୁ ଅବସର ନେବା ପରେ ମଧ୍ୟ ସେ ଲୋକଙ୍କ ସେବା କରିଆସୁଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ଉପରେ ଭରସା କରିଛନ୍ତି। ସେ (ପାଣ୍ଡିଆନ୍) ବିଜେଡିରେ ମଧ୍ୟ ଯୋଗ ଦେଇନାହାନ୍ତି। ସେମାନେ କେମିତି କହିପାରିବେ ଯେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଅଭିଯୋଗର କୌଣସି ଆଧାର ନାହିଁ ବୋଲି ବିଜେଡି ନେତା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର 23ରେ ଭି.କେ ପାଣ୍ଡିଆନ ଆଇଏଏସ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ତାଙ୍କର ଭିଆରଏସ୍ ଅନୁରୋଧକୁ ଗ୍ରହଣ କରାଯିବାର ଗୋଟିଏ ଦିନ ପରେ ପାଣ୍ଡିଆନଙ୍କୁ 5-ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ ସହ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ ନିଯୁକ୍ତି ଦିଆଯାଇଥିଲା। କିଛି ବୁଦ୍ଧିଜୀବୀଙ୍କ ମତରେ ଭିଆରଏସ ନେଇଥିବା ଏହି ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ହୋଇପାରନ୍ତି।