ବରଗଡ଼: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟାଭାଲ PEO କାର୍ତ୍ତିକେଶ୍ବର ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ସେ ଫିରିଙ୍ଗିମାଲ୍ ଏବଂ ଗୌରେନମୁଣ୍ଡା ଗ୍ରାମପଞ୍ଚାୟତର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ଥିଲେ। ବ୍ଲକରେ ବିଭିନ୍ନ ସରକାରୀ ଯୋଜନାରେ ଅନିୟମିତତା ଓ ଲାଞ୍ଚ ନେବାଭଳି ପୂର୍ବରୁ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା। ଚଢ଼ାଉ ସମୟରେ ଏପର୍ଯ୍ୟନ୍ତ ନଗଦ ପ୍ରାୟ ୨ ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି । ଏହାସହ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା, ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ, ଚେକ୍ ବୁକ୍ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ଟିମ୍ ଜବତ କରିଛି । ଗାଇସିଲେଟରେ ତାଙ୍କର ଗୋଟିଏ ୨ ମହଲା କୋଠା ସହିତ ଗୋଟିଏ ମାର୍କେଟ କମ୍ପ୍ଲେକ୍ସ ଠାବ କରାଯାଇଛି। ସେହିପରି ତାଙ୍କର ଗୋଟିଏ ଗୋଦାମ ଘର ଓ ନିର୍ମାଣଧୀନ ୪ ମହଲା କୋଠା ଠାବ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ବରଗଡ଼ର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଉଛି। ଏହି ଟିମ୍ରେ ୫ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (ଡିଏସପି), ୮ ଜଣ ଇନ୍ସପେକ୍ଟର, ୨ ଜଣ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସଆଇ) ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି।