ରାଜଧାନୀ ଉପକଣ୍ଠ ପଳାଶୁଣୀ ଛକ ପାଲଟିଛି ମରଣଯନ୍ତା I ଥରେ ଅଧେ ନୁହେଁ ମାସକୁ ୫ ରୁ ୬ ଥର ଘଟୁଛି ଛୋଟ ବଡ଼ ଦୁର୍ଘଟଣା I ସେହିପରି ସୋମବାର ସକାଳ ୯ ଟାରେ ପଳାଶୁଣିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I ପଳାଶୁଣି ବସ୍ଷ୍ଟପ୍ ନିକଟରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି।
ସୂଚନାନୁସାରେ ଆଜି ସକାଳେ ପଳାଶୁଣି ଛକରେ ଜଣେ ବ୍ୟକ୍ତି ରାସ୍ତା ପାର୍ ହେଉଥିଲେ। ଏହି ସମୟରେ ଡମ୍ଫରଟିଏ ଆସିଯାଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ଡମ୍ଫରଟି ବ୍ରେକ୍ ମାରି ରହିଯାଇଥିଲା। ଏହି ସମୟରେ ଡମ୍ଫର ପଛରେ ଯାଉଥିବା ଦୁଇଟି କାର୍ ଅଟକି ଯାଇଥିଲେ। ତେବେ ପଛରୁ ଦ୍ରୁତଗତିରେ ଆସୁଥିବା ଏକ ହାଇଓ୍ୱା ଦୁଇଟି କାର୍ ମଧ୍ୟରୁ ଗୋଟିଏକୁ ଧକ୍କା ଦେଇଥିଲା। କାର୍ଟି ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ପରେ ହାଇଓ୍ୱାଟି ଡମ୍ଫର ପଛରେ ଥିବା ଅନ୍ୟ କାର୍ ଉପରେ ଚଢ଼ିଯାଇଥିଲା। ଫଳରେ କାର୍ରେ ଥିବା ବ୍ୟକ୍ତି ଜଣଙ୍କ ତା’ ଭିତରେ ଚାପି ହୋଇଯାଇଥିଲେ। ପୁଲିସ ଓ ଅଗ୍ନିଶମ କର୍ମଚାରୀ ତାଙ୍କୁ କାର୍ ଭିତରୁ ଉଦ୍ଧାର କରିଥିଲେ। ତେବେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ଦୁର୍ଘଟଣା ପୂର୍ବରୁ ସୋମବାର ସକାଳେ ୫.୩୦ ସମୟରେ ଏବଂ ରବିବାର ରାତିରେ ମଧ୍ୟ ଏହି ରାସ୍ତାରେ ଦୁର୍ଘଟଣା ଘଟିଥିଲା I ସକାଳ ୯ ତା ଦୁର୍ଘଟଣା ପରେ କଟକ ଭୁବନେଶ୍ୱର ରାସ୍ତାରେ ଅସଂଖ୍ୟ ଗାଡି ମୋଟର ସହିତ ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଅଟକି ଯାଇଥିଲା I ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଆସି ପ୍ରାୟ ଘଂଟାଏ ପରେ ରାସ୍ତା ଯାମ ହଟାଇଥିଲେ I