ଭୁବନେଶ୍ୱର: ପଲାସା ଓ ଇଚ୍ଛାପୁରମ୍କୁ ନୂତନ ଭାବେ ଗଠିତ ‘ଦକ୍ଷିଣ ତଟ ରେଳପଥ’ (SCoR) ଜୋନରେ ସାମିଲ କରାଯିବା ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ପୂର୍ବତଟ ରେଳପଥ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ରେଳ ବିଭାଗର ଏହି ନିଷ୍ପତ୍ତିକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ବିଜେଡି ପକ୍ଷରୁ ଏହାକୁ ଜୋରଦାର ବିରୋଧ କରାଯାଇଥିଲା। ଏପରିକି ବିଜେଡି ସାଂସଦ ସସ୍ମିତ ପାତ୍ର ଏହି ପ୍ରସଙ୍ଗରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରତିବାଦ ଜଣାଇଥିଲେ। ଏହି ବିରୋଧାଭାସ ପରେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ପ୍ରକୃତ ସ୍ଥିତି ସ୍ପଷ୍ଟ କରିଛନ୍ତି। ରେଳବାଇ ପକ୍ଷରୁ କୁହାଯାଇଛି ଯେ, ପଲାସା-ଇଚ୍ଛାପୁରମ୍ ସେକ୍ସନ୍ (୫୦ କିଲୋମିଟର) ମଧ୍ୟରେ ପଲାସା, ସୁମ୍ମାଦେବୀ, ମଣ୍ଡାସା ରୋଡ୍, ବାରୁଭା, ସୋମପେଟା, ଝାଡୁପୁଡି ଏବଂ ଇଚ୍ଛାପୁରମ୍ ଭଳି ୭ଟି ଷ୍ଟେସନ୍ ରହିଛି। ଏହି ସମସ୍ତ ଷ୍ଟେସନ୍ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ଅବସ୍ଥିତ ଏବଂ ଏଥିମଧ୍ୟରୁ କୌଣସିଟି ଓଡ଼ିଶା ସୀମା ମଧ୍ୟରେ ନାହିଁ। ଏହି ଷ୍ଟେସନଗୁଡ଼ିକ ମୁଖ୍ୟତଃ ଯାତ୍ରୀ ପରିବହନ ପାଇଁ ବ୍ୟବହୃତ ହେଉଥିବା ବେଳେ ଏଗୁଡ଼ିକ ପ୍ରମୁଖ ମାଲ୍ ପରିବହନ କେନ୍ଦ୍ର ନୁହନ୍ତି। ତେଣୁ ଏହି ସେକ୍ସନ୍ ହସ୍ତାନ୍ତର ଦ୍ୱାରା ପୂର୍ବତଟ ରେଳପଥର ରାଜସ୍ୱ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଅଧିକ ସ୍ପଷ୍ଟ କରି ରେଳବାଇ କହିଛି ଯେ, ଷ୍ଟେସନଗୁଡ଼ିକ ଯେକୌଣସି ଜୋନ ପରିସୀମାରେ ରହିଲେ ମଧ୍ୟ ସେହି ପଥ ଦେଇ ଯାଉଥିବା ଟ୍ରେନ୍ ଚଳାଚଳ ପୂର୍ବବତ୍ ଅବ୍ୟାହତ ରହିବ। ଏହାଦ୍ୱାରା ଯାତ୍ରୀସେବା କିମ୍ବା ପଣ୍ୟ ପରିବହନରେ କୌଣସି ବାଧା ସୃଷ୍ଟି ହେବ ନାହିଁ। ବିଶେଷ କରି ପଲାସା–ଭୁବନେଶ୍ୱର, ପଲାସା–କଟକ ଏବଂ ଇଚ୍ଛାପୁରମ୍–କଟକ ମେମୁ (MEMU) ଓ ଯାତ୍ରୀବାହୀ ଟ୍ରେନଗୁଡ଼ିକର ସମୟସୂଚୀ କିମ୍ବା ମାର୍ଗରେ କୌଣସି ପରିବର୍ତ୍ତନ କରାଯିବ ନାହିଁ।