ନୂଆଦିଲ୍ଲୀ: ଗିଲଗିଟ୍-ବାଲତିସ୍ତାନ ବିଧାନସଭା ନିର୍ବାଚନ ପାଇଁ ପାକିସ୍ତାନର ଯୋଜନାକୁ ନେଇ ନୂଆଦିଲ୍ଲୀ ପକ୍ଷରୁ ଇସଲାମାବାଦ ନିକଟରେ ଦୃଢ଼ ପ୍ରତିବାଦ ଦାଖଲ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ସ୍ପଷ୍ଟ କରିଛି ଯେ, ଗିଲଗିଟ୍-ବାଲତିସ୍ତାନ ସମେତ ସମଗ୍ର ଜମ୍ମୁ-କାଶ୍ମୀର ଏବଂ ଲଦାଖ ହେଉଛି ଭାରତର ଏକ ଅଭିନ୍ନ ତଥା ଅବିଚ୍ଛେଦ୍ୟ ଅଂଶ। ପାକିସ୍ତାନ ଏହି ଅଞ୍ଚଳକୁ ଅବୈଧ ଏବଂ ବଳପୂର୍ବକ ଭାବେ ନିଜ ଦଖଲରେ ରଖିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, “ପାକିସ୍ତାନ ଦ୍ୱାରା ବେଆଇନ ଭାବେ ଅଧିକୃତ କରାଯାଇଥିବା ଭାରତୀୟ ଅଞ୍ଚଳରେ ଜୁନ୍ ୭ ତାରିଖରେ ତଥାକଥିତ ‘ଗିଲଗିଟ୍-ବାଲତିସ୍ତାନ ବିଧାନସଭା’ ନିର୍ବାଚନ କରାଇବା ପାଇଁ ପାକିସ୍ତାନ ଯେଉଁ ପ୍ରୟାସ କରୁଛି, ତାହା ବିରୋଧରେ ସରକାରୀ ସ୍ତରରେ କଡ଼ା ଆପତ୍ତି ପ୍ରକାଶ କରାଯାଇଛି।” ଭାରତ ଆହୁରି ମଧ୍ୟ କହିଛି ଯେ, ପଡ଼ୋଶୀ ଦେଶର ଏଭଳି ପ୍ରହସନମୂଳକ ନିର୍ବାଚନ ପ୍ରକ୍ରିୟା ସେଠାକାର ପ୍ରକୃତ ସମସ୍ୟାକୁ ଲୁଚାଇ ପାରିବ ନାହିଁ। ବେଆଇନ ଭାବେ ଦଖଲ କରାଯାଇଥିବା ଏହି ଅଞ୍ଚଳରେ ଚାଲିଥିବା ଗମ୍ଭୀର ମାନବାଧିକାର ଉଲ୍ଲଂଘନ, ରାଜନୈତିକ ଦମନ, ଆର୍ଥିକ ଶୋଷଣ ଏବଂ ସ୍ୱାଧୀନତା ଅପହରଣ ଭଳି ମୂଳ ପ୍ରସଙ୍ଗରୁ ବିଶ୍ୱବାସୀଙ୍କ ଦୃଷ୍ଟି ହଟାଇବା ପାଇଁ ପାକିସ୍ତାନ ଏଭଳି ଚାଲ୍ ଚଳୁଛି। ଏହି ଅବସରରେ ଭାରତ ନିଜର ପୁରୁଣା ତଥା ସୁପ୍ରତିଷ୍ଠିତ ଆଭିମୁଖ୍ୟକୁ ଦୋହରାଇ କହିଛି ଯେ, ୧୯୪୭ ମସିହାରେ ଭାରତ ସହିତ ଜମ୍ମୁ-କାଶ୍ମୀରର ସମ୍ପୂର୍ଣ୍ଣ, ଆଇନଗତ ଏବଂ ଅପରିବର୍ତ୍ତନୀୟ ମିଶ୍ରଣ ହୋଇସାରିଛି। ତେଣୁ ଏହି ସମଗ୍ର ଭୂଭାଗ ଉପରେ କେବଳ ଭାରତର ହିଁ ସାର୍ବଭୌମତ୍ବ ରହିଛି।