ପଦ୍ମପୁର ଉପନିର୍ବାଚନ: ବରିହାଙ୍କ ବଡ଼ଝିଅ ବର୍ଷା ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପଦ୍ମପୁର ଉପନିର୍ବାଚନ ପାଇଁ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ଼ଝିଅ ବର୍ଷାଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଷାଙ୍କୁ ପ୍ରାର୍ଥୀ ନେଇ ଆସିଥିବା ପ୍ରସ୍ତାବରେ ମୋହର ମାରିଛନ୍ତି । ଫଳରେ ବିଜେପିର ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ କଂଗ୍ରେସର ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସହିତ ତାଙ୍କର ସିଧାସଳଖ ଟକ୍କର ହେବ । ପଦ୍ମପୁରରେ ସାତ ଥର ବିଧାୟକ ହୋଇଥିବା ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଧର୍ମପତ୍ନୀ ତିଳୋତ୍ତମାଙ୍କୁ ଟିକେଟ୍ ମିଳୁଥିବା ନେଇ ଗଣମାଧ୍ୟମରେ ଖୁବ୍ ଆଲୋଚନା ହୋଇଥିଲା । ସେ ମଧ୍ୟ ଗଣମାଧ୍ୟକୁ କହିଥିଲେ, ‘ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୂରଣ ପାଇଁ ସେ ବିଜେଡି ଟିକେଟ୍‌ରେ ଲଢ଼ିବାକୁ ଚାହୁଁଛନ୍ତି ।’ଏହି ବୟାନ ପରେ ବିଜେଡିର ଛାମୁଆଁ ନେତାମାନେ ଦ୍ୱନ୍ଦ୍ୱରେ ପଡ଼ିଥିଲେ । ବହୁ ତର୍ଜମା ପରେ ସ୍ୱର୍ଗତ ବରିହାଙ୍କ ଧର୍ମପତ୍ନୀ ତିଲୋତ୍ତମାଙ୍କୁ ଟିକେଟ୍ ନ ଦେଇ ତାଙ୍କ ବଡ଼ ଝିଅ ବର୍ଷା ବରିହାଙ୍କୁ ପ୍ରାର୍ଥୀ କରାଯାଉ ବୋଲି ଦଳକୁ ଜଣାଇଥିଲେ । ଶେଷରେ ସୁପ୍ରିମୋ ଏଥିରେ ରାଜି ହୋଇ ବର୍ଷାଙ୍କୁ ଭରସା କରି ଟିକେଟ୍ ଦେଇଛନ୍ତି । ବିଜେଡି ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ସହ ‘ଅନୁକମ୍ପା’ କାର୍ଡ ଏଠି ଖେଳିବ । ଦ୍ୱିତୀୟରେ ବରିହା ପରିବାରର ସହମତିରେ ବର୍ଷାକୁ ଟିକେଟ୍ ଦିଆଯାଇଥିବାରୁ ଧାମନଗର ଉପନିର୍ବାଚନରେ ‘ରାଜେନ୍ଦ୍ର ଦାସ’ ସ୍ଥିତି ପଦ୍ମପୁର ଉପନିର୍ବାଚନରେ ପୁନରାବୃତ୍ତି ହେବାର ଆଶଙ୍କା ରହିବ ନାହିଁ । ଏଥିପାଇଁ ସତର୍କତାର ସହିତ ବିଜେଡି ଟିକେଟ୍ ଦେବା ସହ ଗାଁ ଗାଁରେ ବିଭିନ୍ନ ଜୋନ୍‌ରେ ନେତା ରହି ସ୍ଥିତିକୁ ପରଖିଛି । ତେବେ ଫଳ କ’ଣ ହେବ ତାହା ଗଣତି ପରେ ସ୍ପଷ୍ଟ ହେବ ।