ପ୍ରଥମ ଓଡିଆ ଭାବେ ହକି ଇଣ୍ଡିଆର ସଭାପତି ହେଲେ ପଦ୍ମଶ୍ରୀ ଦିଲୀପ ତିର୍କୀ

ଭୁବନେଶ୍ୱର, ୨୩/୦୯: ହକି ଇଣ୍ଡିଆର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ପଦ୍ମଶ୍ରୀ ଦିଲୀପ ତିର୍କୀ । ପ୍ରଥମ ଓଡିଆ ଭାବେ ପ୍ରଥମଥର ପାଇଁ ସେ ଏହି ଦାୟିତ୍ୱ ପାଇଛନ୍ତି । ହକି ଇଣ୍ଡିଆ ସଭାପତି ପଦ ପାଇଁ ଆଉ ଦୁଇ ଜଣ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେମାନେ ହେଉଛନ୍ତି ଉତ୍ତର ପ୍ରଦେଶ ହକି ସଂଘ ମୁଖ୍ୟ ରାକେଶ କଟୟାଲ ଓ ଝାଡ଼ଖଣ୍ଡ ହକି ସଂଘ ମୁଖ୍ୟ ଭୋଳା ନାଥ ସିଂହ। ତେବେ ଦିଲ୍ଲୀପଙ୍କୁ ସମର୍ଥନ କରି ଉଭୟ ରାକେଶ ଓ ଭୋଳା ନାଥ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଥିଲେ। ଫଳରେ ବିନା କୌଣସି ପ୍ରତିଦ୍ୱନ୍ଦ୍ୱିତାରେ ସଭାପତି ନିର୍ବାଚିତ ହୋଇଛନ୍ତି ଦିଲ୍ଲୀପ ତିର୍କି । ଦିଲୀପ ତିର୍କୀ ଟ୍ୱିଟରରେ ଏକ ଫଟୋ ସେୟାର କରି ସୂଚନା ଦେଇଥିଲେ। ଏନେଇ ଘୋଷଣା ପରେ ଏଫଆଇଏଚକୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀପ ।

ଭାରତୀୟ ହକିର ମହାନ ଖେଳାଳିଙ୍କ ମଧ୍ୟରୁ ଦିଲୀପ ତିର୍କୀ ଅନ୍ୟତମ । ସେ ଦୀର୍ଘ ୧୫ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରରେ ୪୧୨ଟି ମ୍ୟାଚ ଖେଲିଛନ୍ତି ।ସେ ୧୯୯୫ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ସେ ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ଦିଲ୍ଲୀପ ତିନିଟି ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ସେ ୧୯୯୬ର ଆଣ୍ଟଲାଣ୍ଟା ଅଲିମ୍ପିକ୍ସ ସହିତ ୨୦୦୦ର ସିଡ୍‌ନୀ ଓ ୨୦୦୪ର ଏଥେନ୍ସ ଅଲିମ୍ପିକ୍ସ ଖେଳିଛନ୍ତି। ସେ ୨୦୧୦ରେ ଅନ୍ତଜାର୍ତୀୟ ହକିରୁ ଅବସର ନେଇଥିଲେ। ୨୦୧୨ରେ ଦିଲ୍ଲୀପ ବିଜୁ ଜନତା ଦଳ ଟିକେଟ୍‌ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଚଳିତ ବର୍ଷ ଅଗଷ୍ଟରେ ହକି ଇଣ୍ଡିଆ ନିର୍ବାଚନ ପରିଚାଳନା ପାଇଁ ଅଜୟ ନାୟକଙ୍କୁ ରିଟର୍ଣ୍ଣିଂ ଅଫିସର ଭାବରେ ନିଯୁକ୍ତ କରାଯାଇଥିଲା ।