ପଦ୍ମ ଧରିଲେ ଚମ୍ପାଇ ସୋରେନ

ନୂଆଦିଲ୍ଲୀ: ପଦ୍ମ ଧରିଲେ ଚମ୍ପାଇ ସୋରେନ ।ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ମୁଖ୍ୟମନ୍ତ୍ରୀ ପଦ ଛଡାଇ ନେବା ପରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା  ଉପରେ ଅସନ୍ତୋଷ ବ୍ୟକ୍ତ କରି ଦଳ ଛାଡିଥିଲେ ଚମ୍ପାଇ ।  ରାଞ୍ଚିର ଭବ୍ୟ କାର୍ୟ୍ୟକ୍ରମରେ ପୁଅ ବାବୁଲାଲ ସୋରେନଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ଏହି କାର୍ୟ୍ୟକ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବର୍ଶମାଙ୍କ ସମେତ କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ପ୍ରମୁଖ ଉପସ୍ଥିତ ଥିଲେ । ଅଗଷ୍ଟ ୨୮ରେ ବିଧାୟକ ପଦ ସହ  ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ ଚମ୍ପାଇ ସୋରେନ । ସୋସିଆଲ ମିଡିଆରେ ଦଳ ବିରୋଧରେ ବିଷ ଓଗାଳିଥିଲେ । ଦଳ ବିରୋଧରେ ବହୁ ଅଭିଯୋଗ ଆଣିଥିଲେ । ବାଂଲାଦେଶୀ ଅନୁପ୍ରବେଶକୁ ନେଇ ଜେଏମଏମକୁ ଟାର୍ଗେଟ କରିଥିଲେ । ହେମନ୍ତ ସୋରେନ ଜେଲରୁ ମୁକୁଳିବା ପରେ ଚମ୍ପାଇ ସୋରେନଙ୍କ ହାତରୁ ମୁଖ୍ୟମନ୍ତ୍ରୀ ପଦ ଛଡାଇ ନିଆଯାଇଥିଲା । ଏହାକୁ ନେଇ ଦଳ ଉପରେ ଅସନ୍ତୋଷ ଥିଲେ ଚମ୍ପାଇ ସୋରେନ । ଏହା ପରେ ନାଟକୀୟ ଢଙ୍ଗରେ ଦିଲ୍ଲୀ ଗସ୍ତ କରି ବିଜେପିର ଶୀର୍ଷ ନେତାଙ୍କୁ ଭେଟିଥିଲେ ସେ । ଅମିତ ଶାହଙ୍କ ସହ ସାକ୍ଷାତ ପରେ ବିଜେପିରେ ସାମିଲ ହେବା ନେଇ ସଙ୍କେତ ଦେଇଥିଲେ ଚମ୍ପାଇ । ଶେଷରେ  ସେ ବିଜେପିରେ ସାମିଲ ହୋଇଛନ୍ତି ।