ସଫଳତା ପାଇଥିବା ୬୮ ଦିଗ୍ଗଜଙ୍କୁ ପଦ୍ମ ପୁରସ୍କାରରେ ପୁରସ୍କୃତ କଲେ ରାଷ୍ଟ୍ରପତି

ଦିଲ୍ଲୀ : ଦ୍ଵିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ ସମାରୋହ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ କ୍ଷେତ୍ରରେ ସଫଳ ଆଉ ୬୮ ଦିଗ୍ଗଜଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଏବଂ ବିଶିଷ୍ଟ ଅତିଥି ଯୋଗ ଦେଇଛନ୍ତି । ପ୍ରଥମ ସମାରୋହରେ ରାଷ୍ଟ୍ରପତି ୨୦୨୫ ବର୍ଷ ପାଇଁ ୭୧ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ । ଚଳିତ ବର୍ଷ ମୋଟ ୧୩୯ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । କଳା, ସାହିତ୍ୟ, ବିଜ୍ଞାନ, ବାଣିଜ୍ୟ, ସାମାଜିକ କାର୍ଯ୍ୟ, ଚିକିତ୍ସା କ୍ଷେତ୍ରରେ ପାରଦର୍ଶୀ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ପ୍ରଧାନ ବିଚାରପତି ଜଗଦୀଶ ସିଂ ଖେହର ଏବଂ କୁମୁଦନୀ ରଜନୀକାନ୍ତ ଲାଖିଆ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଛନ୍ତି। ଯେଉଁମାନଙ୍କୁ ପଦ୍ମ ଭୂଷଣ ପ୍ରଦାନ କରାଯାଉଛି ସେମାନଙ୍କ ମଧ୍ୟରେ ଅଛନ୍ତି ଜତିନ ଗୋସ୍ୱାମୀ, କୈଳାଶ ନାଥ ଦୀକ୍ଷିତ ଏବଂ ସାଧ୍ୱୀ ଋତମ୍ଭରା ଓ ପ୍ରସିଦ୍ଧ ଅର୍ଥନୀତିଜ୍ଞ ବିବେକ ଦେବରଏଙ୍କୁ ମରଣୋତ୍ତର ଭାବେ ସମ୍ମାନିତ କରାଯାଇଛି । ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ମନ୍ଦା କ୍ରିଷ୍ଣା ମାଦିଗା, ଡ. ନୀରଜା ଭଟଲା, ସନ୍ଥ ରାମ ଦେଶୱାଲ ଏବଂ ସୟେଦ ଆଇନୁଲ ହାସନ ଅଛନ୍ତି। ପଦ୍ମ ପୁରସ୍କାର ପାଇଥିବା ସମସ୍ତ ପ୍ରତିଭାଙ୍କୁ ଏକ୍ସ ପୋଷ୍ଟରେ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।