ଫେବୃଆରୀ ୧୫ ମଧ୍ୟରେ ପଡ଼ାଗ୍ରାମ ହେବ ରାଜସ୍ୱ ଗ୍ରାମ

ଭୁବନେଶ୍ୱର: ପଡ଼ାଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରାଯିବ । ବିଧାନସଭାରେ ଏହି ନିଷ୍ପତ୍ତି ନିଆଯାଇଥିଲା । ତଦନୁଯାୟୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଫେବୃଆରୀ ୧୫ ମଧ୍ୟରେ ପଡ଼ାଗ୍ରାମକୁ ରାଜସ୍ୱ ଗ୍ରାମ କରିବା ପାଇଁ ପ୍ରକିୟା ଆରମ୍ଭ କରିଛି । ଏହି ସୂଚନା ଦେଇଛନ୍ତି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ।
ବୁଧବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ପଡା ଗ୍ରାମରୁ ନୂତନ ଗ୍ରାମ, ନୂଆ ରାଜସ୍ୱ ନିରକ୍ଷକଙ୍କ କାର୍ଯ୍ୟାଳୟ ଓ ମୋ ସରକାରର ଅନ୍ତର୍ଗତ ସମସ୍ତ ସେବା ପ୍ରଦାନ ସମ୍ବନ୍ଧରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନୂତନ ଗ୍ରାମର ପ୍ରସ୍ତାବ ଫେବୃଆରୀ ୧୫ ସୁଦ୍ଧା ଭୁ-ଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକଙ୍କ ନିକଟକୁ ପଠାଇବା ପାଇଁ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ନୂତନ ଭାବେ ସୃଷ୍ଟି ହୋଇଥିବା ଗ୍ରାମରେ ଥିବା ଜମିଜମା ସମ୍ବନ୍ଧୀୟ ଦସ୍ତାବିଜ୍ ତୁରନ୍ତ ଭୂଲେଖ ପୋର୍ଟାଲ୍‌ରେ ସାମିଲ କରିବା ସହ ଲୋକମାନେ ଯେପରି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନ ଆସି ଉଭୟ ସମୟ ଓ ଅର୍ଥର ଅପଚୟ ନ କରି ଇ-ପାଉତି ମାଧ୍ୟମରେ ଖଜଣା ଦେଇପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି ।
ଶ୍ରୀ ସାହୁ କହିଛନ୍ତି ଯେ, ୨୦୨୧ରେ ହୋଇଥିବା ବିଜ୍ଞପ୍ତିରେ ପଡ଼ା ଗ୍ରାମରେ ୨୫୦ରୁ କମ୍ ଲୋକ ଥିଲେ ମଧ୍ୟ ରାଜସ୍ୱ ଗ୍ରାମ ଓ ପଡ଼ାଗ୍ରାମ ମଧ୍ୟରେ ଗମନାଗମନରେ କୌଣସି ପ୍ରାକୃତିକ ପ୍ରତିବନ୍ଧକ ଥିଲେ, ପଡ଼ାଗ୍ରାମକୁ ରାଜସ୍ୱ ଗ୍ରାମ ଘୋଷଣା ପାଇଁ ବିଚାର କରାଯାଇପାରିବାର ବ୍ୟବସ୍ଥା ରହିଛି । ସେହିପରି ପଡ଼ା ଗ୍ରାମଟି ରାଜସ୍ୱ ଗ୍ରାମର ୫୦୦ ମିଟର ଦୂରତା ମଧ୍ୟରେ ଥିଲେ ମଧ୍ୟ ପଡ଼ାଗ୍ରାମର ଲୋକସଂଖ୍ୟା ୩୦୦ରୁ ଅଧିକ ହେଲେ, ସେହି ପଡ଼ାଗ୍ରାମକୁ ରାଜସ୍ୱ ଗ୍ରାମ ହେବାପାଇଁ ଜିଲ୍ଲାପାଳ ପ୍ରସ୍ତାବ ପଠାଇପାରିବେ । ପଡାଗ୍ରାମଟିର ଲୋକସଂଖ୍ୟା ୨୫୦ରୁ ଅଧିକ ହୋଇ ରାଜସ୍ୱ ଗ୍ରାମରୁ ଦୂରତା ୫୦୦ ମିଟରରୁ ଅଧିକ ହେଲେ, ସେହି ପଡ଼ା ଗ୍ରାମ ମଧ୍ୟ ରାଜସ୍ୱ ଗ୍ରାମ ହୋଇପାରିବ । ପଡ଼ା ଗ୍ରାମ ରାଜସ୍ୱ ଗ୍ରାମ ହେଲା ପରେ ମଧ୍ୟ ପଡ଼ା ଗ୍ରାମର ବାସିନ୍ଦାମାନେ ଆବଶ୍ୟକ ସ୍ଥଳେ ପୁରୁଣା ରାଜସ୍ୱ ଗ୍ରାମର ଗୋଚର ଓ ସର୍ବସାଧାରଣ ଜାଗା ଯଥା ସ୍ମ୍ମଶାନ ଆଦି ବ୍ୟବହାର କରିପାରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଅନ୍ୟପକ୍ଷରେ ନୂତନ ଭାବେ ଯୋଗ୍ୟ ବିବେଚିତ ହୋଇଥିବା ସହାୟକ ରାଜସ୍ୱ ନିରୀକ୍ଷକ ଓ ଅମିନଙ୍କୁ ଡିସେମ୍ବର ୨୦ ମଧ୍ୟରେ ନିଯୁକ୍ତିପତ୍ର ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସମସ୍ତ ରାଜସ୍ୱ ଆୟୁକ୍ତ ଓ ଜିଲ୍ଲାପାଳଙ୍କୁ ପ୍ରତ୍ୟେକ ଦିନ ମୋ ସରକାର ମାଧ୍ୟମରେ ଲୋକଙ୍କ ସହ କଥା ହୋଇ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କଠୁ ଉତ୍କୋଚ ନେଲେ, ଲୋକଙ୍କୁ ଖରାପ ବ୍ୟବହାର କଲେ ଓ କାର୍ଯ୍ୟାରେ ଅବହେଳା କଲେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ପାଇଁ କଡ଼ା ତାଗିଦ୍ କରାଯାଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।