ଇସ୍ରାଏଲୀୟ ବୋମାବର୍ଷଣ ଯୋଗୁଁ ୩୦ରୁ ଉର୍ଦ୍ଧ୍ବ ମୃତ: ହମାସ୍‌

ଗାଜା ସିଟି: ଶନିବାର ରାତିରେ କେନ୍ଦ୍ରୀୟ ଗାଜାରେ ଥିବା ଏକ ଶରଣାର୍ଥୀ ଶିବିରରେ ଇସ୍ରାଏଲ୍‌ ବୋମାବର୍ଷଣ ଯୋଗୁଁ ୩୦ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ହମାସ୍‌ ପରିଚାଳିତ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।ସ୍ବାସ୍ଥ୍ୟ ମନ୍ତ୍ରାଳୟ ମୁଖପାତ୍ର ଅଶ୍‌ରଫ୍‌ ଅଲ୍‌-କୁଦ୍ରା ଜାରି କରିଥିବା ବିବୃତିରେ କହିଛନ୍ତି: କେନ୍ଦ୍ରୀୟ ଗାଜା ଷ୍ଟ୍ରିପ୍‌ସ୍ଥିତ ଅଲ୍‌-ମଗାଜୀ ଶିବିରରେ ନରସଂହାର କାରଣରୁ ଦେଇର୍‌ ଅଲ୍‌-ବଲାଗସ୍ଥିତ ‘ଅଲ୍‌-ଅସ୍କା ସହିଦ ଚିକିତ୍ସାଳୟ’ରେ ୩୦ରୁ ଅଧିକ ଶବ ପହଞ୍ଚିଛି।

‘ଟେଲିଗ୍ରାମ୍‌’ରେ ପ‌ୋଷ୍ଟ୍‌ କରିଥିବା ବିବୃତିରେ ହମାସ୍‌ କହିଛି, ଇସ୍ରାଏଲ୍‌ ପ୍ରତ୍ୟକ୍ଷଭାବେ ସାଧାରଣ ନାଗରିକମାନଙ୍କ ଘର ଉପରେ ବୋମା ଫିଙ୍ଗୁଛି। ମରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ଶିଶୁ।‘ତୁର୍କୀସ୍‌ ଅନାଦୋଲୁ ଏଜେନ୍‌ସି’ ପାଇଁ କାମ କରୁଥିବା ୩୭ ବର୍ଷିୟ ସାମ୍ବାଦିକ ମହମ୍ମଦ ଆଲାଲୌଲ୍‌ କହିଛନ୍ତି, ଅଲ୍‌-ମଗାଜୀ ଶିବିରରେ ମୋ ପଡ଼ିଶା ଘର ଉପରେ ଇସାଏଲ୍‌ ବିମାନ ଆକ୍ରମଣ କରିବାରୁ ତାହା ଆଂଶିକ ଭାଙ୍ଗିଯାଇଛି। ଇସ୍ରାଏଲ୍‌ ଆକ୍ରମଣରେ ମୋର ୧୩ ବର୍ଷିୟ ପୁଅ ଅହମଦ୍‌, ୪ ବର୍ଷିୟ ପୁଅ କ୍ବାଇସ୍‌ ମରିଯାଇଛନ୍ତି। ସ୍ତ୍ରୀ, ମାଆ ଓ ଆଉ ଦୁଇଜଣ ପିଲା ବି ଆହତ ହୋଇଛନ୍ତି।

‘ଇଣ୍ଡିଆ ଟୁଡେ’ ରିପୋର୍ଟ ଅନୁସାରେ, ଶନିବାର ରାତିରେ କେନ୍ଦ୍ରୀୟ ଗାଜା ଷ୍ଟ୍ରିପ୍‌ରେ ଥିବା ମଗାଜୀ ଶରଣାର୍ଥୀ ଶିବିରରେ ଇସ୍ରାଏଲ୍‌ ଆକ୍ରମଣ ଯୋଗୁଁ ୫୧ଜଣ ପାଲେଷ୍ଟିନୀୟ ମରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା ଓ ପିଲା। ଶନିବାର ରାତି ସାରା ‘ଇସ୍ରାଏଲ୍‌ ଡିଫେନ୍‌ସ୍ ଫୋର୍ସ’ ଗାଜା ଉପରେ ବୋମା ବର୍ଷଣ ଜାରି ରଖିଥିଲା। ଇସ୍ରାଏଲ୍‌ ସ୍ଥଳବାହିନୀ ଆକ୍ରମଣରେ ବି ଅନେକ ଆବାସିକ ବାସଭବନ ମଧ୍ୟ ନଷ୍ଟ ହୋଇଯାଇଛି।

#attackedCRIME