ଆମ କ୍ରୀଡ଼ାବିତମାନେ ହେଉଛନ୍ତି ଆମ ଗର୍ବ ଓ ଗୌରବ : କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର : ଆମ କ୍ରୀଡ଼ାବିତମାନେ ହେଉଛନ୍ତି ଆମ ଗର୍ବ ଓ ଗୌରବ। ଓଡ଼ିଶାର କ୍ରୀଡ଼ାବିତମାନେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାମାନଙ୍କରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ମାଧ୍ୟମରେ ଆମକୁ ଗୌରବାନିତ୍ବ କରିଛନ୍ତି। ଆମ କ୍ରୀଡ଼ାବିତମାନଙ୍କ ପାଇଁ ଓଡ଼ିଶା ଆଜି ବିଶ୍ୱ ସ୍ତରରେ କ୍ରୀଡ଼ାକ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଗକୁ ମଧ୍ୟ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତାମାନଙ୍କରେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ଦ୍ୱାରା ଆମ କ୍ରୀଡ଼ାବିତମାନେ ଓଡ଼ିଶା ପାଇଁ ଗୌରବ ଅର୍ଜନ କରିବେ ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଆଜି ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାମାନଙ୍କରେ ପଦକ ହାସଲ କରିଥିବା ସଫଳ କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ୨୪ଟି କ୍ରୀଡ଼ା ବର୍ଗରେ ପ୍ରାୟ ୧୬୫ କ୍ରୀଡ଼ାବିତମାନଙ୍କୁ ୬୬ ଲକ୍ଷରୁ ଉର୍ଦ୍ଧ୍ୱ ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ଆଥଲେଟିକ୍ସ, ଚେସ୍‌, ସାଇକ୍ଲିଙ୍ଗ, ହକି, କରାଟେ, ଖୋଖୋ, ରୋଲ ବଲ୍, ରଗବୀ, ଶୁଟିଙ୍ଗ, ସଫ୍ଟ ବଲ୍, ସନ୍ତରଣ, ଟାଇକ୍ଵାଣ୍ଡୋ, ଟେନିସ, ପେଣ୍ଟାଥଲନ, ଭାରତ୍ତୋଳନ, ଉସୁ, ଟ୍ରାଇଥଲନ୍‌, ପାରା-ଜୁଡୋ, ପାରା-ସନ୍ତରଣ ଆଦି ସର୍ବମୋଟ ୨୪ଟି କ୍ରୀଡ଼ାବର୍ଗର କ୍ରୀଡ଼ାବିତମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ଏଥିସହିତ ୮ଜଣ ପର୍ବତାରୋହୀ (ପ୍ରତ୍ୟେକ ପର୍ବତାରୋହୀଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ) ସମ୍ବର୍ଦ୍ଧନା ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯାଇଛି।

ଆଜିର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହୋଇଥିବା କ୍ରୀଡ଼ାବିତମାନେ ମଧ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ସମ୍ବର୍ଦ୍ଧନା ପୁରସ୍କାର ରାଶି ପାଇ ନିଜର ଖୁସିବ୍ୟକ୍ତ କରିବା ସହିତ ଏହା ଆଗାମୀ ଦିନରେ ସେମାନଙ୍କୁ ଆହୁରି ଭଲ ପ୍ରଦର୍ଶନ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ମତପ୍ରକାଶ କରିଛନ୍ତି।

କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ ହେଉଛି ଆମର ପ୍ରାଥମିକତା। ଏଥିପାଇଁ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ କରାଯାଉଛି। ଏଥିସହିତ ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମି ଏବଂ କ୍ରୀଡ଼ା ପ୍ରତିଭାର ବିକାଶ ଯେପରି ହୋଇପାରିବ ଓ ଓଡ଼ିଶାର ପ୍ରତିଟି ବ୍ଲକ ଏବଂ ପ୍ରତିଟି ଗାଁରୁ ଯେପରି କ୍ରୀଡ଼ା ପ୍ରତିଭା ବିକଶିତ ହୋଇପାରିବ ତାହା ଆମର ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତବ୍ୟକ୍ତ କରିଛନ୍ତି।