“ଆମ କୁନିପିଲା” ଯୋଜନା; ଜଣାନ୍ତୁ ଏଥିରେ କଣ କଣ ସୁବିଧା ରହିଛି?

ଭୁବନେଶ୍ଵର: ପବିତ୍ର ଶିଶୁ ଦିବସ ଅବସରରେ ଶୁଭାରମ୍ଭ ହେଲା “ଆମ କୁନିପିଲା” ଯୋଜନା । ପ୍ରତ୍ୟକ ଶିଶୁଙ୍କୁ ନିଜ ଘରେ ହିଁ ମିଳିବ ଆନନ୍ଦଦାୟକ ବନ୍ଧୁତ୍ଵପୂର୍ଣ୍ଣ ଅନୁକୂଳ ପରିବେଶ । ଏଣିକି ଘରର ପୁରୁଷ ସଦସ୍ୟ ମାନେ ମଧ୍ୟ ନେବେ ଶିଶୁର ଯତ୍ନ । ତିନି ବର୍ଷରୁ କମ୍ ପିଲାଙ୍କ ସହ ଅଙ୍ଗନବାଡି କର୍ମୀ ମାନେ ଗଳ୍ପ ସହ ଭାବ ବିନିମୟ କରିବେ ।

ପ୍ରତ୍ୟକ ଶିଶୁର ପ୍ରଥମ ହଜାର ଦିନ ହେଉଛି ଗଭୀର ସମ୍ବେଦନଶୀଳ ସମୟ । ଏହି ଦିନ ମାନଙ୍କରେ ଶିଶୁର ମାନସିକ ଓ ଶାରୀରିକ ବିକାଶ ଆରମ୍ଭ ହୋଇଥାଏ ଓ ଜୀବନବ୍ୟାପୀ ସ୍ବାସ୍ଥ୍ୟର ମୂଳଦୁଆ ପଡିଥାଏ । ଏହି ସମୟ ମଧ୍ୟରେ ଉଭୟ ମାଆ ଓ ଶିଶୁର ଯତ୍ନ ଏବଂ ପୁଷ୍ଟିକର ପୋଷଣ ଉପରେ ଶିଶୁର ବୃଦ୍ଧି ନିର୍ଭର କରିଥାଏ ।

ଶିଶୁ ଦିବସ ଅବସରରେ “ଆମ କୁନିପିଲା” ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଶୁମାନେ ହେଉଛନ୍ତି ଦେଶର ଶକ୍ତି ଓ ପ୍ରଗତିର ସୂତ୍ରଧର । ଶୈଶବ କାଳରୁ ଶିଶୁମାନଙ୍କୁ ଉଚିତ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ପରିବେଶ ପ୍ରଦାନ କରାଗଲେ ସେମାନେ ଜଣେ ଜଣେ ସୁନାଗରିକ ହୋଇପାରିବେ । “ଆମ କୁନିପିଲା” କାର୍ଯ୍ୟକ୍ରମର ନିଜ ପରିବାରରେ ଶିଶୁର ଯତ୍ନ, ତିନି ବର୍ଷରୁ କମ ପିଲାମାନଙ୍କ ପାଳନରେ ଉଭୟ ପିତାମାତା ହାୟିତ୍ବ ସହ ସେମାନଙ୍କ ଶିଶୁ ଯତ୍ନ ଭିଭିକ ଦକ୍ଷତା ବୃଦ୍ଧି ଓ କମ୍ ମୂଲ୍ୟରେ ତିଆରି ଖେଳଣା ମାଧ୍ୟମରେ ଶିଶୁମାନଙ୍କ ମସ୍ତିଷ୍କ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି ।

ପିତାମାତା ଓ ପରିବାରର ଅନ୍ୟ ଯତ୍ନ ପ୍ରଦାନକାରୀଙ୍କୁ ଶିଶୁର ପ୍ରାରମ୍ଭିକ ବର୍ଷ ପ୍ରତି ସମ୍ବେଦନଶୀଳ କରାଇବା, ପରିବାରର ପୁରୁଷ ମାନଙ୍କୁ ଶିଶୁ ଯତ୍ନରେ ସମ୍ପୃକ୍ତି କରିବା, ପିତାମାତା ଓ ପରିବାର ଅନ୍ୟ ଯତ୍ନ ପ୍ରଦାନକାରୀଙ୍କ ଦ୍ବାରା କମ୍ ମୂଲ୍ୟର ପରିବେଶ ଅନୁକୁଳ ସାମଗ୍ରୀ ଓ ଖେଳଣା ସହିତ ଶିଶୁ ମାନଙ୍କୁ ନିଯୋଜିତ କରିବା, ଅଙ୍ଗନବାଡିକର୍ମୀଙ୍କ ଦ୍ଵାରା ଖେଳଣା, ଗପ ଏବଂ ସ୍ନେହଭରା କଥା,ଭଲ ପାଇବା, ସ୍ପର୍ଶ ଓ ଖେଳ ଦ୍ଵାରା ଶିଶୁମାନଙ୍କୁ ଏକ ସକରାତ୍ମକ ପରିବେଶ ଦେବା ସହ ସେମାନଙ୍କୁ ସକ୍ରିୟ କରେଇବା ଆଦି ଏହି କାର୍ଯ୍ୟକ୍ରମର ପ୍ରଧାନ ଲକ୍ଷ୍ୟ ।

ଏହି ଅଭିଯାନରେ ସାମାଜିକ ଆଚରଣ ଯୋଗାଯୋଗ ସାମଗ୍ରୀ ଦ୍ଵାରା ପିତାମାତା, ପରିବାର ଅନ୍ୟ ଯତ୍ନ ପ୍ରଦାନକାରୀ ତଥା ଅଙ୍ଗନବାଡି କର୍ମୀଙ୍କ କାର୍ଯ୍ୟକାରିତାକୁ ଆହୁରି ପ୍ରଭାବଶାଣୀ କରାଯାଇପାରିବ । ଏକ ଉତ୍ସାହଜନକ ପରିବେଶ ସୃଷ୍ଟି କରି ପିତାମାତାଙ୍କ ନେତୃତ୍ଵାଧୀନରେ ଘରେ ହିଁ ଆନନ୍ଦଦାୟକ ଶିଶୁ ବନ୍ଧୁତ୍ବପୂର୍ଣ୍ଣ ଶିକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସୁଦୃଢ କରିବା ପାଇଁ ବିଭିନ୍ନ ସୂଚନାତ୍ମକ ସାମଗ୍ରୀ ଯଥା ମୋ ବିକାଶ ପତ୍ର, କୁନି କାଲେଣ୍ଡର, ଆମ କୁନି ପିଲା ଫିଲ୍ମ୍ ବୁକ୍, ସୁଖଦ ଲାଳନ ପାଳନ ହାଣ୍ଡ ବୁକ୍ ଓ ଆମ କୁନି ପିଲା ଟିଏ କିଟ୍ ଆଦିକୁ ମଧ୍ୟ ପ୍ରସ୍ତୁତ କରାଯାଇଛି ।