ଓଡ଼ିଶାର ସମସ୍ତ OSRTC ଗାଡିକୁ କରାଯିବ ଇଲେକ୍ଟ୍ରିକ୍‌: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ପରିବେଶ ସୁରକ୍ଷା ଓ ଇନ୍ଧନ ସଞ୍ଚୟକୁ ଦୃଷ୍ଟିରେ ରଖି ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଖୁବ୍‌ ଶୀଘ୍ର ଓଡ଼ିଶା ଷ୍ଟେଟ୍‌ ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ୍‌ (OSRTC)ର ସମସ୍ତ ବସ୍‌କୁ ଇଲେକ୍ଟ୍ରିକ୍‌ ଭେହିକଲ୍‌ (EV)ରେ ପରିଣତ କରାଯିବ। ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ରାଜ୍ୟରେ ଇଭି ଗାଡିର ବ୍ୟବହାର ବଢ଼ାଇବା ପାଇଁ ଚାର୍ଜିଂ ଷ୍ଟେସନ୍‌ ବ୍ୟବସ୍ଥାକୁ ଜୋରଦାର କରାଯାଉଛି। ସରକାର ପକ୍ଷରୁ ୧୦୦ଟି ଇଭି ଚାର୍ଜିଂ ଷ୍ଟେସନ୍‌ ପାଇଁ ଅନୁମୋଦନ ମିଳିଥିବାବେଳେ, ୩୦ଟି ଷ୍ଟେସନ୍‌ର କାମ ସମାପ୍ତ ହୋଇସାରିଛି। ଏପରିକି କେବଳ ଭୁବନେଶ୍ୱରରେ ୧୫ଟି ଚାର୍ଜିଂ ଷ୍ଟେସନ୍‌ ସ୍ଥାପନ ହେବାକୁ ଯାଉଛି। ସେ କହିଛନ୍ତି, ଇଭି ବ୍ୟବହାର ଦ୍ୱାରା କେବଳ ପ୍ରଦୂଷଣ କମିବ ନୁହେଁ, ଇନ୍ଧନ ଖର୍ଚ୍ଚ ମଧ୍ୟ ବହୁ ପରିମାଣରେ ସଞ୍ଚୟ ହେବ। ପ୍ରକୃତି ଓ ପରିବେଶର ସନ୍ତୁଳନ ରକ୍ଷା ପାଇଁ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ କାରକେଡ୍‌କୁ ଅଧା କରିସାରିଛନ୍ତି ଓ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ସେହି ପଦକ୍ଷେପ ଅନୁସରଣ କରିବେ।