ଆନ୍ଧ୍ର ସରକାର ଙ୍କ ଅସହିଷ୍ଣୁତା ର ଜ୍ୱଳନ୍ତ ନିଦର୍ଶନ I ଗୋଟିଏ ପଟେ ଓଡ଼ିଶାର ଭୌଗୋଳିକ ମାନଚିତ୍ରକୁ ଖଣ୍ଡ ବିଖଣ୍ଡିତ କରିବାର ଷଡ଼ଯନ୍ତ୍ର, ଜମି, ଜଳ, ଜଙ୍ଗଲ ସବୁଥିରେ ବିବାଦ ଛିଣ୍ଡୁ ନ ଥିବାବେଳେ ଏବେ ସୀମାନ୍ତରେ ମାତୃଭାଷା ଉପରେ ପଡ଼ିଶାର ଲୋଲୁପ ନଜର। ସୀମାନ୍ତରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଦଳି ସୀମାରେ କର୍ତ୍ତୃତ୍ବ ଜାହିର କରିବାର ଅଭିପ୍ରାୟ। ସର୍ବଦା ବୈମାତୃକ ମନୋଭାବ ପୋଷଣ କରୁଥିବା ଆନ୍ଧ୍ର ନୂଆ କରି ସୃଷ୍ଟି କରିଥିବା ମାନ୍ୟମ ଜିଲାରୁ ଓଡ଼ିଆ ଭାଷା ତଥା ବିଦ୍ୟାଳୟକୁ ଉଚ୍ଛେଦ କରିବା ଆରମ୍ଭ କରିଛି। କିଛିଦିନ ତଳେ ଉଭୟ ରାଜ୍ୟର ନିଜର ଭାଷା ସଂସ୍କୃତିକୁ ସୀମାନ୍ତରେ ସମ୍ମାନ ଦେବା ସହ ବଞ୍ଚାଇ ରଖିବାକୁ ଚୁକ୍ତି କରିଥିଲେ ମଧ୍ୟ ନିଜ ପ୍ରତିଶ୍ରୁତିକୁ ଭୁଲିଯାଇଛି ଆନ୍ଧ୍ର। ସୀମାନ୍ତରେ ଥିବା ବିଦ୍ୟାଳୟ ଗୁଡ଼ିକରେ ଉଭୟ ରାଜ୍ୟ ଶିକ୍ଷକ ନିଯୁକ୍ତି ସାଙ୍ଗକୁ ପାଠ୍ୟପୁସ୍ତକ ଯୋଗାଣ ପାଇଁ ସଚିବ ସ୍ତରରେ କଥାବାର୍ତ୍ତା ହୋଇଥିଲା।
ଓଡ଼ିଶା ପ୍ରଶାସନ ତେଲୁଗୁ ଭାଷା ଓ ସଂସ୍କୃତିକୁ ସମ୍ମାନ ଜଣାଇବା ସହ ଅଧ୍ୟୟନ କରୁଥିବା ତେଲୁଗୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ବୃଦ୍ଧି ନିମନ୍ତେ ସୀମାନ୍ତ ଅଞ୍ଚଳରେ ଶିକ୍ଷକ ନିଯୁକ୍ତି ସାଙ୍ଗକୁ ତେଲୁଗୁ ପାଠ୍ୟ ପୁସ୍ତକ ବାଣ୍ଟିବା ଆରମ୍ଭ କରିଛି I ଶିକ୍ଷା ବର୍ଷ ଆରମ୍ଭରେ ଓଡ଼ିଶା ପ୍ରତିଶ୍ରୁତି ରଖିଥିଲାବେଳେ ଆନ୍ଧ୍ର ପ୍ରତିଶ୍ରୁତି ପାଳନ କରିବ କ’ଣ; ପାଲଟା ଓଡ଼ିଆ ଭାଷାର ପାଠ୍ୟ ପୁସ୍ତକ ବାଣ୍ଟିବା ତ ଦୂରର କଥା ନିଯୁକ୍ତି ପାଇଥିବା ଓଡ଼ିଆ ଶିକ୍ଷକ କିମ୍ବା ଅବସର ପରେ ଖାଲି ପଡ଼ିଥିବା ସ୍ଥାନରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତ ନ ଦେଇ ତେଲୁଗୁ କିମ୍ବା ହିନ୍ଦୀ ଭାଷାର ଶିକ୍ଷକ ନିଯୁକ୍ତିକୁ ଅଗ୍ରାଧିକାର ଦେଉଛି। ସୀମାନ୍ତ ରାୟଗଡ଼ା ଜିଲା ପ୍ରଶାସନ ପକ୍ଷରୁ ୧୪ ଜଣ ତେଲୁଗୁ ଭାଷା ଶିକ୍ଷକ ଭିନ୍ନ ଭିନ୍ନ ବିଦ୍ୟାଳୟ ରେ ନିଯୁକ୍ତି ପାଇଥିଲାବେଳେ ଆନ୍ଧ୍ରରେ ଓଡ଼ିଆ ବିଦ୍ୟାଳୟ କିମ୍ବା ବହୁ ଭାଷୀ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ନାହାନ୍ତି।